ରିପୋର୍ଟ କାର୍ଡ / ବାଲେଶ୍ଵର
ଆର୍ଥିକ ଅନିୟମିତତା ମାମଲାରେ ଗିରଫ ହୋଇ ବାଲେଶ୍ବର ଜିଲ୍ଲା କାରାଗାର ବିଚାର ବିଭାଗୀୟ ହାଜତରେ ଥିବା ଗନ୍ଧମାର୍ଦନ ଲୋଡିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ ସମବାୟ ସମିତିର ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କୁ ଗୁରୁବାର ପୁଣି ଓଡ଼ିଶା ଜମାକାରୀ ସ୍ବାର୍ଥରକ୍ଷା (ଓପିଆଇଡି) ଅଦାଲତରେ ହାଜର କରାଯାଇଥିଲା। ତେବେ ତାଙ୍କ ପକ୍ଷରୁ ଆବେଦନ ହୋଇଥିବା ଜାମିନର ଶୁଣାଣି ନ ହେବାରୁ ତାଙ୍କୁ ପୁଣି ଜେଲକୁ ଯିବାକୁ ପଡ଼ିଛି। ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ବାଲେଶ୍ବରରେ ପହଞ୍ଚି ରାଜା ଚକ୍ର ପାଇଁ ଜାମିନ ଆବେଦନ କରିଥିଲେ। ରାଜ୍ୟ ଅପରାଧ ଶାଖାର ଅର୍ଥନୈତିକ ଅପରାଧ ବିଭାଗ(ଇଓଡବ୍ଲ୍ୟୁ) ଜବତ କରିଥିବା ୨୦୨୨ରୁ ୨୦୨୪ ମସିହା ପର୍ଯ୍ୟନ୍ତ ସମିତିର ରିଜୋଲ୍ୟୁସନ ବହି ଏବଂ ସ୍ପେଶାଲ ଅଡିଟ ରିପୋର୍ଟ ଦାଖଲ ପାଇଁ ସେ ଅଦାଲତକୁ ପ୍ରାର୍ଥନା କରିଥିଲେ। ଅବଶ୍ୟ ଏହାର ଅଫିସ କପି ସେ ଅଦାଲତେର ଦାଖଲ କରିଥିଲେ। ସେହି କ୍ରମରେ ଜଜ ବିଶ୍ବଜିତ ଦାସ କେସ୍ ଡାଏରୀ (ସିଡି) ସହିତ ଦୁଇ ମୂଳ ରେକର୍ଡ଼ ଦାଖଲ ପାଇଁ ସରକାରୀ ଓକିଲଙ୍କୁ ନିେର୍ଦ୍ଦଶ ଦେଇଥିଲେ। ଆସନ୍ତା ୫ ତାରିଖରେ ଇଓଡବ୍ଲ୍ୟୁ ତଦନ୍ତକାରୀ ଅଧିକାରୀ ଅଦାଲତରେ ଦାଖଲ କରିବେ ବୋଲି ସରକାରୀ ଓକିଲ ଅଦାଲତକୁ ଜଣାଇଥିଲେ। ଏ ନେଇ ଆସନ୍ତା ୫କୁ ତାରିଖ ରଖା ଯାଇଥିବାବେଳେ ସେହିଦିନ ସିଡି ଓ ରେକର୍ଡ଼ ଦାଖଲ ପରେ ଜାମିନ ଉପରେ ଶୁଣାଣି କରାଯିବ ବୋଲି ରାଜାଙ୍କ ଓକିଲ ଶ୍ରୀ ଦ୍ବିବେଦୀ ସୂଚନା ଦେଇଛନ୍ତି।
More Stories
ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୫ କୋଟିକୁ ବୃଦ୍ଧି….
ଦୁଇ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି…..
ପାଣ୍ଡିଆନଙ୍କ ପାଇଁ ଓକିଲାତି କଲେ ନବୀନ….