ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ପୂର୍ବଭାରତ, ଉତ୍ତର-ପଶ୍ଚିମ ଭାରତ ସହ ଅନ୍ୟାନ୍ୟ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ତାପମାତ୍ରା ଅନୁଭୂତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଭାରତରେ ସର୍ବୋଚ୍ଚ ତାପମାତ୍ରା ଏପ୍ରିଲ ୨ ସୁଦ୍ଧା ୩ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ, ଯାହା ଫଳରେ ଗ୍ରୀଷ୍ମପ୍ରବାହ ଆହୁରି ତୀବ୍ର ହେବ। ମାତ୍ର ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମହାରାଷ୍ଟ୍ର, କର୍ନାଟକ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାରେ ବର୍ଷା ସହ କୁଆପଥର ମାଡ଼ ହୋଇପାରେ। ସେହିପରି ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛରେ ଗ୍ରୀଷ୍ମପ୍ରବାହ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗର ହଠାତ୍ ପରିବର୍ତ୍ତନ ଯୋଗୁ ଫସଲ ସହ ଜନଜୀବନ ଗୁରୁତର ପ୍ରଭାବିତ ହେବାକୁ ଥିବାରୁ ଲୋକେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା ଆଦି ଜିଲ୍ଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ବିଜୁଳି ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ଲାଗି ରହିବ। ଏହାସତ୍ତ୍ୱେ ଚଳିତ ମାସରେ ମାତ୍ରାଧିକ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
More Stories
RBIର ଡେପୁଟି ଗଭର୍ନର ପୁନମ ଗୁପ୍ତା…..
ପୁଣି ବଢ଼ିଲା କିଟ୍ ଅଡ଼ୁଆ,ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ବାପା…..
ଶାନ୍ତିବାର୍ତ୍ତା ନେଇ ସରକାରଙ୍କୁ ପ୍ରସ୍ତାବ ଦେଲେ ମାଓବାଦୀ…..