ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିଜାବ୍ ବିବାଦରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ଦାଏର କରାଯାଇଥିବା ପିଟିସନ୍ର ଜରୁରୀକାଳୀନ ଶୁଣାଣି ପାଇଁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ରାୟରେ କର୍ଣ୍ଣାଟକ ହାଇକୋର୍ଟ ଛାତ୍ରଛାତ୍ରୀମାନଙ୍କୁ ଧାର୍ମିକ ପୋଷାକ ପିନ୍ଧି କଲେଜ ଆସିବାକୁ ବାରଣ କରିଥିଲେ। ଏ ସଂକ୍ରାନ୍ତରେ ଭାରତର ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ଆମେ ମଧ୍ୟ ପରିସ୍ଥିତି ଉପରେ ଦୃଷ୍ଟି ରଖିଛୁ। ରାଜ୍ୟରେ କ’ଣ ହେଉଛି ଏବଂ କ’ଣ ରାୟ ଦିଆଯାଇଛି ଆମେ ଜାଣୁ। ଏହି ମାମଲାକୁ ଜାତୀୟସ୍ତରକୁ ଆଣିବା ଠିକ୍ କି, ନୁହେଁ, ତାହା ମଧ୍ୟ ଆପଣମାନେ ବିବେଚନା କରିବା କଥା। ଆମେ ସମସ୍ତଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା। ମାମଲାର ପ୍ରାସଙ୍ଗିକତା ଭିତରକୁ ଯାଆନ୍ତୁ ନାହିଁ। ସମୟ ଆସିଲେ ଆମେ ମାମଲାର ଶୁଣାଣି କରିବୁ। ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିଛନ୍ତି, କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇ ନ ଥିଲା ବେଳେ ମାମଲାକୁ କେମିତି ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ୍ କରାଯାଇ ପାରିବ?ମାମଲାର ରାଜନୀତିକରଣ କରନ୍ତୁ ନାହିଁ। ହାଇକୋର୍ଟ ମାମଲାର ନିଷ୍ପତ୍ତି ନିଅନ୍ତୁ। ଜଣେ ସାମାଜିକକର୍ମୀ ଭାବେ ହିଜାବ୍ ସଂକ୍ରାନ୍ତରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଥିବା ଅନ୍ୟତମ ଆବେଦନକାରୀ ଅରିଫ୍ ଜମୀଲ୍ ଆଜି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପିଟିସନ୍ରେ ସେ ଲେଖିଛନ୍ତି, ଫେବ୍ରୁଆରି ୧୫ରୁ ‘ପ୍ରାକ୍ଟିକାଲ୍’ ପରୀକ୍ଷା ଆରମ୍ଭ ହେବ। ମୁସଲ୍ମାନ ଝିଅମାନଙ୍କୁ ହିଜାବ୍ ପିନ୍ଧିବା ଅଧିକାରରୁ ବଞ୍ଚିତ କରିବାଦ୍ବାରା ସେମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି କରିବ। ତେଣୁ, କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିବା ସହ ହିଜାବ୍ ମାମଲାରେ ସାମୟିକ ଆଶ୍ବସ୍ତି ଦିଅନ୍ତୁ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..