ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହକି ଇଣ୍ଡିଆର ପୂର୍ବତନ ସଭାପତି, ଭାରତୀୟ ଅଲିମ୍ପିକ୍ସ ସଂଘର ମୁଖ୍ୟ ତଥା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି। ହକି ଇଣ୍ଡିଆରେ ହୋଇଥିବା ୩୫ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ବୁଧବାର ତାଙ୍କ ସହ ଅନ୍ୟ କେତେକ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି। ଖୁବ୍ଶୀଘ୍ର ବାତ୍ରାଙ୍କୁ ଏହି ମାମଲାରେ ଜେରା ପାଇଁ ଡକାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବାତ୍ରା ଅନ୍ୟ ଅଧିକାରୀଙ୍କ ସହ ମିଶି ହକି ଇଣ୍ଡିଆ ପାଣ୍ଠିକୁ ବ୍ୟକ୍ତିଗତ ସ୍ବାର୍ଥରେ ଲଗାଇଥିବା ଖବର ପଦାକୁ ଆସିବା ପରେ ହକି ଦୁନିଆରେ ଝଡ଼ ସୃଷ୍ଟି ହୋଇଛି। କିଛି ଦିନ ପୂର୍ବେ ବାତ୍ରାଙ୍କ ଅମଳରେ ହକି ଇଣ୍ଡିଆରେ ଲକ୍ଷ ଲକ୍ଷ ଟଙ୍କା ପାଣ୍ଠି ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ବାତ୍ରା ନିଜ ବ୍ୟକ୍ତିଗତ କାମ ପାଇଁ ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବିନିଯୋଗ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା। ଅର୍ଥ ହଡ଼ପ ସହ ବାତ୍ରାଙ୍କ ବିରୋଧରେ ହକି ଇଣ୍ଡିଆର ପରିଚାଳନାରେ ଅଯଥା ହସ୍ତକ୍ଷେପ କରୁଥିବାର ଅଭିଯୋଗ ମଧ୍ୟ ଆସିଛି। ଟୋକିଓ ଅଲିମ୍ପିକ୍ସ ପରେ ଭାରତୀୟ ପୁରୁଷ ହକି ଦଳର ଅସ୍ଥିର ପ୍ରଦର୍ଶନ ସଂପର୍କରେ ବାତ୍ରା ହକି ଇଣ୍ଡିଆକୁ ଲେଖିଥିବା ପତ୍ରକୁ ନେଇ ମଧ୍ୟ କିଛି ଦିନ ପୂର୍ବେ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା। ଅନେକ ଅଲିମ୍ପିଆନ୍ ହକି ତାରକା ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।






More Stories
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ବଲ୍ଲଭ ବେହେରା….