ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଶ୍ୱଶୁର ଘର ବୁଲିବାକୁ ଆସି ଝିଅକୁ ହତ୍ୟାକଲା ଜ୍ୱାଇଁ | ସମସ୍ତେ ଶୋଇ ପଡ଼ିବା ପରେ ଏକ କଇଁଚିରେ ଭୁଶି ପତ୍ନୀକୁ ହତ୍ୟା କଲା ସ୍ୱାମୀ । ଏଭଳି ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ହିଞ୍ଜିଳିଗଡ଼ିଆ ଗାଁରେ ମୃତା ମହିଳାଜଣକ ହେଲେ ସୁହାଗୀ ମୁର୍ମୁ । ପତ୍ନୀ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ସ୍ୱାମୀ ମଧୁସୁଦନ ମୁର୍ମୁଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଧୁସୁଦନ ଓ ସୁହାଗୀଙ୍କ ମଧ୍ୟରେ ଅଧିକାଂଶ ସମୟରେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟ ସୁହାଗୀଙ୍କ ବାପଘରକୁ ବୁଲି ଯାଇଥିଲେ। ସେଠାରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ରାତିରେ ସମସ୍ତେ ଶୋଇ ପଡ଼ିବା ପରେ ଉତ୍ତ୍ୟକ୍ତ ମଧୁସୁଦନ ଘଟାଇଲେ ନାରକୀୟ କାଣ୍ଡ । ଏକ କଇଁଚିରେ ପତ୍ନୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଭୁଶିଦେଲେ । ଝିଅର ଚିତ୍କାର ଶୁଣି ପରିବାର ଲୋକେ ଉଠି ତାଙ୍କ ଶରୀରରେ ଗଭୀର କ୍ଷତ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଡୁକୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ତଦନ୍ତ କରିବା ସହ ମଧୁସୁଦନଙ୍କୁ ଅଟକ ରଖି ପଚରାଉଚରା କରିଥିବା ସୂଚନା ମିଳୁଛି |






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..