Report Card Odisha

| Daily Odia News

‘ମୁଁ ମୋଦୀଙ୍କୁ ଘୃଣା କରେ ନାହିଁ’ମୁଁ ତାଙ୍କ ଦୃଷ୍ଟିକୋଣ ସହ ସହମତ ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରନ୍ତି ନାହିଁ। ବାସ୍ତବରେ ସେ ତାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରନ୍ତି। ଆମେରିକାର ଵାସିଂଟନ ଡିସିସ୍ଥିତ ଜର୍ଜଟାଉନ୍ ୟୁନିଭର୍ସିଟିରେ ଆୟୋଜିତ ଏକ ସାକ୍ଷାତ୍‌କାରରେ ରାହୁଲ ଗାନ୍ଧୀ କହିଛନ୍ତି, ଆପଣ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ମୁଁ ପ୍ରକୃତରେ ମୋଦୀଙ୍କୁ ଘୃଣା କରେ ନାହିଁ। ତାଙ୍କର ଏକ ଦୃଷ୍ଟିକୋଣ ଅଛି, ମୁଁ ତାଙ୍କ ଦୃଷ୍ଟିକୋଣ ସହ ସହମତ ନୁହେଁ, କିନ୍ତୁ ମୁଁ ତାଙ୍କୁ ଘୃଣା କରେ ନାହିଁ। ସେ ଯାହା କରୁଛନ୍ତି ସେଥିପାଇଁ ମୋର ସହାନୁଭୂତି ଓ ଅନୁକମ୍ପା ଅଛି। କିନ୍ତୁ ମୁଁ ଭାବୁଛି ଏହା ଫଳପ୍ରଦ ନୁହେଁ। କଂଗ୍ରେସ ନେତା ତାଙ୍କ ଆମେରିକା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଆମେରିକାରେ ତାଙ୍କ କାର୍ଯ୍ୟକ୍ରମରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା, ଧର୍ମନିରପେକ୍ଷତା‌, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଧ୍ୟାତ୍ମ ଆଦିକୁ ନେଇ କଟାକ୍ଷ କରିଥିଲେ। ଏସବୁ ପ୍ରସଙ୍ଗରେ ବୟାନ ରଖିବା ବେଳେ ସେ ବିଜେପିକୁ ଟାର୍ଗେଟ୍‌ କରିଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ବିଜେପି ରାହୁଲଙ୍କୁ ତୀବ୍ର ସମାଲୋଚନା କରିବା ସହ ସେ ବିଦେଶରେ ଭାରତକୁ ଲଗାତାର ଅପମାନିତ କରୁଥିବା ଅଭିଯୋଗ କରିଛି। ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ଓ ପାର୍ଟ ଟାଇମ୍ ନେତା ଏବଂ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ନେବା ଉଚିତ ନୁହେଁ ବୋଲି ବିଜେପି କହିଛି। ରାହୁଲ ବିରୋଧୀ ଦଳ ନେତା ହେବା ପରଠାରୁ ଲୋକମାନେ ତାଙ୍କ କାନ୍ଧରେ ଏକ ବଡ଼ ଦାୟିତ୍ୱ ରଖିଛନ୍ତି। ତେବେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ରରେ ଏକ କଳା ଦାଗ ସାବ୍ୟସ୍ତ ହୋଇଛନ୍ତି। ବିଦେଶ ଗସ୍ତ ବେଳେ କ’ଣ କଥାବାର୍ତ୍ତା କରିବେ ତାହା ମଧ୍ୟ ସେ ଜାଣନ୍ତି ନାହିଁ। ବିଦେଶରେ ସେ ଭାରତକୁ ବଦନାମ କରୁଛନ୍ତି ବୋଲି ବିଜେପି ନେତା ଗୌରବ ଭାଟିଆ ଗଣମାଧ୍ୟମକୁ କହିଛନ୍ତି। ବିଜେପିର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ରାହୁଲ ଗାନ୍ଧୀ କେବେ ବି ଭାରତକୁ ବଦନାମ କରିନାହାନ୍ତି କି କରିବେ ନାହିଁ। ବିଜେପି ପାଇଁ ଏକ ବାହାନା ଦରକାର ଏବଂ ସେମାନେ ସବୁବେଳେ ଏଭଳି ପ୍ରସଙ୍ଗ ଉଠାଉଛନ୍ତି ବୋଲି ଖଡ଼ଗେ କହିଛନ୍ତି।

Breaking News