Report Card Odisha

| Daily Odia News

IAS ବିନୋଦ କୁମାର ଙ୍କୁ ଚାକିରିରୁ ବରଖାସ୍ତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଅଣ୍ଟା ଭିଡିଛନ୍ତି | ବରିଷ୍ଠ ଆଇ.ଏ.ଏସ୍. ବିନୋଦ କୁମାର ଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିଥିବା ସୂଚନା ମିଳିଛି । ଶ୍ରୀ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ- ଶ୍ରୀ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ବାରା କି ରାଜ୍ୟ ସରକାରଙ୍କର ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ଶ୍ରୀ କୁମାରଙ୍କ ବିରୁଦ୍ଧରେ ଓଡିଶା ସରକାର ୨୭ଟି ଭିଜିଲାନ୍‌ସ କେସ୍‌ ଦାୟର କରିଥିଲେ । ତନ୍ମଧ୍ୟରୁ ଦୁଇଟି କେସ୍‌ରେ ଶ୍ରୀ କୁମାର ଦୋଷୀ ସାବସ୍ତ ହୋଇଛନ୍ତି । ତେବେ ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି । ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦପଦବୀରେ ଥାନ୍ତୁ ନା କାହିଁକି, ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ଵ ଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବରଖାସ୍ତ କରାଯାଇଥିଲା।

 

Breaking News