Report Card Odisha

| Daily Odia News

ଭାରତ-ଚୀନ୍ ସୀମା ବୁଝାମଣା: ୨୯ ସୁଦ୍ଧା ସେନା ପ୍ରତ୍ୟାହାର….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲଦାଖ୍‌ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ସେନା ପ୍ରତ୍ୟାହାରକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁ ବୁଝାମଣା ସ୍ବାକ୍ଷରିତ ହୋଇଛି, ତାହାକୁ କାର୍ଯ୍ୟକାରୀ କରାଯାଇଛି। ତଦନୁଯାୟୀ ଗୁରୁବାର ରାତିରୁ ଲଦାଖ୍‌ର ଦେସପାଙ୍ଗ୍‌ ଓ ଡେମଚୋକ୍‌ ଭଳି ସମ୍ବେଦନଶୀଳ ଅଞ୍ଚଳରୁ ଉଭୟପକ୍ଷ ସେନା ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଚଳିତମାସ ୨୯ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବର ୩୧ରୁ ସେଠାରେ ପାଟ୍ରୋଲିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ୨୦୨୦ ଏପ୍ରିଲ ପୂର୍ବରୁ ଲଦାଖରେ ଥିବା ସ୍ଥିତି ଫେରାଇ ଆଣିବାକୁ ଭାରତ ଓ ଚୀନ୍‌ ରାଜି ହୋଇଛନ୍ତି। ଏହା ସତ୍ତ୍ବେ ନିୟମିତ ବ୍ୟବଧାନରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହେଲେ ଏଲଏସିରେ ଶାନ୍ତି ଅବସ୍ଥା ଫେରିବ ବୋଲି ଆଶା କରାଯାଉଛି। ଦେସପାଙ୍ଗ୍‌ ଓ ଡେମ୍‌ଚୋକ୍‌ ଅଞ୍ଚଳରେ ଭାରତ ଓ ଚୀନ୍‌ ପକ୍ଷରୁ ନିର୍ମାଣ କରାଯାଇଥିବା ସମସ୍ତ ଅସ୍ଥାୟୀ ଶିବିରଗୁଡିକୁ ଭଙ୍ଗାଯିବ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପାଟ୍ରୋଲିଂ ପ୍ରସଙ୍ଗରେ ଉଭୟ ସେନା ଅପରପକ୍ଷକୁ ଆଗୁଆ ସୂଚନା ଦେବେ ବୋଲି ମଧ୍ୟ ବୁଝାମଣା ହୋଇଛି। ସୂଚନାଯୋଗ୍ୟ ୨୦୨୦ ଜୁନ୍‌ରେ ଲଦାଖସ୍ଥିତ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ଚୀନ୍‌ ମଧ୍ୟ ୪୫ ସୈନ୍ୟଙ୍କୁ ହରାଇଥିଲା। ଏହା ପରେ ସେଠାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଚୀନ୍‌ ଉକ୍ତ ଅଞ୍ଚଳରେ ବ୍ୟାପକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ମୁତୟନ କରିଥିବାବେଳେ ଭାରତ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାରେ କୁଣ୍ଠାବୋଧ କରିନଥିଲା। ଗତବର୍ଷ ଅଗଷ୍ଟରେ ଭାରତ ସେହି ସ୍ଥାନକୁ ୭୦ ହଜାର ସୈନ୍ୟ ପଠାଇଥିବାବେଳେ ସୁଖୋଇ ଓ ଜାଗୁଆର ଭଳି ଲଢୁଆ ବିମାନ ମୁତୟନ କରିଥିଲା। ଏସିଆର ଏହି ଦୁଇ ବୃହତ ସାମରିକ ଶକ୍ତି ବର୍ତ୍ତମାନ ସୀମା ପ୍ରସଙ୍ଗରେ ବୁଝାମଣା ସ୍ଥିତିକୁ ଆସିଥିବାରୁ କୂଟନୈତିକ ମହଲ ଏହାକୁ ସ୍ବାଗତ କରିଛନ୍ତି।

Breaking News