ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଏବେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ୍ ଆଇରନ୍ ଡୋମ୍ ଚର୍ଚ୍ଚାରେ ରହିଛି । ଏକଦା ଏହି ପ୍ରତିରକ୍ଷା ବ୍ୟବସ୍ଥାକୁ କୌଣସି ଅସ୍ତ୍ର ମାତ୍ ଦେଇପାରିବ ନାହିଁ ବୋଲି କୁହାଯାଉଥିବା ବେଳେ ଏବେ ଏହା ଭୁଲ୍ ପ୍ରମାଣିତ ହୋଇଛି। ଗତମାସ ୭ ତାରିଖରେ ହମାସ ଆତଙ୍କବାଦୀଙ୍କ ୫ ହଜାର ରକେଟ୍ ଆକ୍ରମଣ ଏହି ବ୍ୟବସ୍ଥାର ଦୁର୍ବଳତାକୁ ପଦାକୁ ଆଣିଛି। ଏଭଳି ସ୍ଥିତିରେ ଭାରତ ନିଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ ସୁଦୃଢ଼ କରିବା ପାଇଁ ବିଶାଳ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଭାରତର ନିଜସ୍ବ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘କୁଶା’ ୨୦୨୮-୨୯ ସୁଦ୍ଧା ମୁତୟନ ହେବ। ରୁଷ୍ର ମହାଶକ୍ତିଶାଳୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍-୪୦୦ ଟ୍ରାୟମ୍ଫ ସହ ଭାରତର କୁଶା ସମକକ୍ଷ । ଭାରତର ଏହି ସ୍ବଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ପାକିସ୍ତାନ ଓ ଚୀନ୍ର ନିଦ ହଜାଇଦେବ ବୋଲି କୁହାଯାଉଛି । ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ଯେ କୌଣସି ଯୁଦ୍ଧବିମାନ, ବିମାନ, ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଅନ୍ୟ ଆକ୍ରମଣକାରୀ ଅସ୍ତ୍ରକୁ ତତ୍କ୍ଷଣାତ ଠାବ କରି ନଷ୍ଟ କରିଦେଇପାରିବ। ଭାରତର ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ (ଡିଆର୍ଡିଓ) ଏହି ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ବିକାଶ କରୁଛି। ଭାରତୀୟ ବାୟୁସେନା ଏବେ ଚୀନ୍ ଓ ପାକିସ୍ତାନ ସୀମାରେ ଏସ୍-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ୍ ମୁତୟନ କରିଛି, ଯାହା ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଭାରତ ରୁଷ୍ଠାରୁ ଏହି ସିଷ୍ଟମ୍ କିଣିଛି। ବର୍ତମାନ ଭାରତକୁ ୩ଟି ସ୍କ୍ୱାଡ୍ରନ ମିଳିଥିବା ବେଳେ ଅବଶିଷ୍ଟ ୨ଟି ବର୍ଷକ ମଧ୍ୟରେ ମିଳିଯିବ। ଗୋଟିଏ ସ୍କ୍ୱାଡ୍ରନରେ ୮ଟି ଟ୍ରକ୍ରେ ଆସୁଥିବା ୮ଟି ଲଞ୍ଚର ରହିଛି। ଏହା ଏକାସାଙ୍ଗରେ ୩୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ସହ ଏକାସାଙ୍ଗରେ ୧୦୦ଟି ଟାର୍ଗେଟକୁ ଚିହ୍ନଟ କରିଥାଏ। ସୂଚନା ଅନୁଯାୟୀ, ଏହା ୬୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଠାବ କରି ୪୦୦ କିଲୋମିଟର ରେଞ୍ଜ୍କୁ ଆସିବା ମାତ୍ରେ ନଷ୍ଟ କରିଦେଇଥାଏ। ଅର୍ଥାତ୍ ଯଦି ଚୀନ୍ ଓ ପାକିସ୍ତାନ ପକ୍ଷରୁ କୌଣସି ବିମାନ ଆକ୍ରମଣ ହୁଏ, ତେବେ ତାହାକୁ ବିଫଳ କରାଯାଇ ପାରିବ। ଭାରତ ୨୦୧୮-୧୯ରେ ଋଷୀୟ ପକ୍ଷ ସହ ଏସ୍-୪୦୦ର ପାଞ୍ଚଟି ସ୍କ୍ୱାଡ୍ରନ ପାଇଁ ୩୫,୦୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା, ଯେଉଁଥିରୁ ୩ଟି ପହଞ୍ଚି ସାରିଛି। ଅବଶିଷ୍ଟ ଦୁଇଟିର ଯୋଗାଣ ରୁଷ୍-ୟୁକ୍ରେନ ସଂଘର୍ଷ କାରଣରୁ ଅଟକି ରହିଥିଲା। ଏହା ଉପରେ ଆଲୋଚନା ପାଇଁ ରୁଷ୍ ଓ ଭାରତୀୟ ଅଧିକାରୀମାନେ ଖୁବ୍ ଶୀଘ୍ର ବୈଠକ କରିବେ ବୋଲି ସୂତ୍ରରୁ ପ୍ରକାଶ। ୟୁକ୍ରେନ୍ ସହ ଯୁଦ୍ଧ ଲାଗି ରହିଥିବାରୁ ଚୂଡ଼ାନ୍ତ ଡେଲିଭରି ସମୟସୀମା ସମ୍ପର୍କରେ ରୁଷୀୟ ପକ୍ଷ ସ୍ପଷ୍ଟ କରି ନାହାନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……