ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ମାର୍ଚ୍ଚ ୩୧ ତାରିଖ ଶୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ଶେଷ କର। ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇ ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ। ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି। ସମସ୍ତ ପୋଲିସ କର୍ମଚାରୀଙ୍କୁ SOP ବାବଦରେ ଜଣାଇବା ପାଇଁ ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ଓଡ଼ିଆ ଭାଷାରେ SOPକୁ ବ୍ୟାପକ ଭାବେ ପ୍ରଚାର କରିବାକୁ ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ପୋଲିସ ADG ଦୟାଲ ଗଙ୍ଗୱାର ଦାଖଲ କରିଥିବା ସତ୍ୟପାଠକୁ ସରକାର ଓ ପୋଲିସ ମୁଖ୍ୟାଳୟ କଡାକଡି ଭାବେ ପାଳନ କରିବେ ବୋଲି ଆଶା ବ୍ୟକ୍ତ କରି ନିଜ ଆଡୁ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ଗତ ସେପ୍ଟେମ୍ବର ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତ ଥାନାରେ ପୋଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..