Report Card Odisha

| Daily Odia News

ସମ୍ବଲପୁରରେ ୪୮ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ…..

ରିପୋର୍ଟ କାର୍ଡ / ସମ୍ବଲପୁର

ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି। ତାହା ଅନୁଯାୟୀ ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବ। ତେବେ ଆଜି ସାରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ ଓ ଲିଜ୍ ଲାଇନ ସେବା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ। ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଏହାକୁ ମିଶାଇ ଲଗାତାର ୮ ଦିନ ଏଠାରେ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା । ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ପଦକ୍ଷେପ ନିଆଯାଇଥିଲା। ଏହାଛଡ଼ା ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆଦିର ପୋଷ୍ଟ ଉପରେ ବି କଟକଣା ଜାରି କରାଯାଇଥିଲା। ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର ମାଡ଼ ହୋଇଥିଲା। ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା।

Breaking News