ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଦାନି-ହିଣ୍ଡେନ୍ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ ସମୟ ଦେବା ଠିକ୍ ହେବ ନାହିଁ। ଆଉ ଟିକେ ଶୀଘ୍ର କାମ କରିବାକୁ ସେ ସେବିକୁ କହିଛନ୍ତି। ଅଗଷ୍ଟରେ ଏହି ମାମଲାର ଶୁଣାଣି କରିବା ଲାଗି ଖଣ୍ଡପୀଠ ଚାହୁଛନ୍ତି। ତିନି ମାସ ଭିତରେ ତଦନ୍ତ ଶେଷ କରି କୋର୍ଟଙ୍କୁ ଜଣାଇବା ଲାଗି ପ୍ରଧାନ ବିଚାରପତି କହିଥିଲେ। ତେବେ ମହଲତ କେତେ ବୃଦ୍ଧି କରାଯିବ ସେହି ନିଷ୍ପତ୍ତି ସୋମବାର ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୫ରେ ହେବ। ଏହି ମାମଲାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଏକ ଛଅ ଜଣିଆ କମିଟି ଗଠନ କରିଥିଲେ। ଚଳିତ ମାସ ୮ରେ କମିଟି ଏହାର ରିପୋର୍ଟକୁ ମୁଦା ଲଫାପାରେ ଦେଇଛି। ଚଳିତ ସପ୍ତାହର ଶେଷ ଦିବସଗୁଡ଼ିକରେ ସେହି ରିପୋର୍ଟକୁ ଆମେ ଦେଖିବୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆଦାନି-ହିଣ୍ଡେନ୍ବର୍ଗ ମାମଲାରେ ସୁପ୍ରିମକୋର୍ଟରେ ଚାରିଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ପ୍ରଧାନମନ୍ତ୍ରୀ ବିଚାରପତି, ଜଷ୍ଟିସ୍ ପି ଏମ୍ ନରସିଂହ ଓ ଜେ ବି ପାରଦୀବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ଫେବ୍ରୁଆରି ୧୦ରୁ ଏହି ମାମଲାଗୁଡ଼ିକର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାର ତଦନ୍ତ କରିବା ଲାଗି ଗତ ମାର୍ଚ୍ଚ ୨ରେ ଅବସରପ୍ରାପ୍ତ ବିଚାରପତି ଏ ଏମ୍ ସାପ୍ରେ, ଜଷ୍ଟିସ ଜେ ପି ଦେଓଧର, ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଓ ପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ କେ ଭି କାମାଥ, ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଓ ସୋମଶେଖର ସୁନ୍ଦରେସନଙ୍କୁ ନେଇ ସୁପ୍ରିମକୋର୍ଟ ୬ ଜଣିଆ ତଦନ୍ତ କମିଟି ଗଠନ କରିଥିଲେ। ଏହି କମିଟି ବ୍ୟତୀତ ସେବି ଅଲଗା ପ୍ରକାର ଯାଞ୍ଚ କରୁଛି। ଆଦାନି-ହିଣ୍ଡେନବର୍ଗ ଭଳି ମାମଲାରେ ସାଧାରଣ ନିବେଶକମାନଙ୍କ ସ୍ବାର୍ଥର କିଭଳି ସୁରକ୍ଷା ହୋଇପାରିବ ଏବଂ ଏଥିପାଇଁ ବର୍ତ୍ତମାନ ପ୍ରଚଳନରେ ଥିବା ଆଇନରେ କିଛି ପରିବର୍ତ୍ତନ ଦରକାର ନା ନାହିଁ ତାହା ସେବି ଜାଣିବାକୁ ଉଦ୍ୟମ କରିବ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..