ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇରାନ ଓ ଏହାର ସମର୍ଥିତ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଚଳାଇଥିବା ଇସ୍ରାଏଲ ପ୍ରତି ବିଶ୍ବାସଘାତକତା କରିଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ। ଏହି ବିଶ୍ବାସଘାତକତା ପାଇଁ ଗାଲାଣ୍ଟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ବୁଧବାର ଇସ୍ରାଏଲ ଟାଇମ୍ସର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗାଲାଣ୍ଟଙ୍କ ବହିଷ୍କାର ସମ୍ପର୍କିତ ନିର୍ଦେଶନାମା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି। ନିର୍ଦେଶ ଅନୁଯାୟୀ ଗାଲାଣ୍ଟଙ୍କ କାର୍ଯ୍ୟକାଳ ୪୮ ଘଣ୍ଟା ମଧ୍ୟରେ ଶେଷ ହେବ। ବହିଷ୍କାର ନିର୍ଦେଶ ସହିତ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଲେଖିଥିବା ଚିଠିରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଗାଲାଣ୍ଟ କରିଥିବା କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଗାଲାଣ୍ଟ ବିଶ୍ବାସ ହରାଇଛନ୍ତି। ସେ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ଇସ୍ରାଏଲର ଶତ୍ରୁଙ୍କ ପାଇଁ ଲାଭଦାୟକ ହୋଇଛି। ନେତାନ୍ୟାହୁ କହିଛନ୍ତି ଯେ ହମାସ ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଆରମ୍ଭର ପ୍ରଥମ କିଛି ମାସ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ତାଙ୍କର ଉତ୍ତମ ସମନ୍ବୟ ରହିଥିଲା। ମାତ୍ର ଏହି ସମନ୍ବୟ ଧୀରେ ଧୀରେ ହ୍ରାସ ପାଇବାକୁ ଲାଗିଲା। ନିକଟ ଅତୀତରେ ଏହି ସମନ୍ବୟରେ ବ୍ୟାପକ ଅଭାବ ଦେଖାଯାଇଥିଲା। ସମନ୍ବୟର ଅଭାବକୁ ଦୂର କରିବା ଲାଗି ସେ ଅନେକ ଚେଷ୍ଟା କରିଥିଲେ। ମାତ୍ର ଏହି ସମନ୍ବୟର ଅଭାବ ଦୂର ହେବା ପରେ ଅଧିକରୁ ଅଧିକ ହେବାରେ ଲାଗିଲା। ତେଣୁ ଶେଷରେ ଗାଲାଣ୍ଟଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଗଲା ବୋଲି ନେତାନ୍ୟାହୁ କହିଛନ୍ତି। ଇସ୍ରାଏଲର ସୁରକ୍ଷା ମୋ ଜୀବନର ସବୁଠାରୁ ବଡ ଲକ୍ଷ୍ୟ ହୋଇ ରହିଥିଲା ଓ ରହିଛି ବୋଲି ସେ କହିଛନ୍ତି।






More Stories
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..