ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚନ୍ଦ୍ରର ଦକ୍ଷିଣମେରୁରେ ଚନ୍ଦ୍ରଯାନ-୩କୁ ସଫଳ ଅବତରଣ କରାଇ ଭାରତ ‘ଇଲାଇଟ୍ ସ୍ପେସ୍ କ୍ଲବ୍’ରେ ସାମିଲ ହୋଇଛି। ତା’ ପୂର୍ବରୁ ରୁଷ୍ ସେହି ଦକ୍ଷିଣମେରୁରେ ପ୍ରଥମ ଅବତରଣ ଲକ୍ଷ୍ୟ ନେଇ ଛାଡ଼ିଥିବା ଲୁନା-୨୫ ଚନ୍ଦ୍ରପୃଷ୍ଠରେ ପିଟି ହୋଇ ଧ୍ବଂସ ପାଇଯାଇଥିଲା। ଗତ ୨୦୧୯ ସେପ୍ଟେମ୍ବର ମାସରେ ମଧ୍ୟ ଭାରତର ଚନ୍ଦ୍ରଯାନ-୨ ଚନ୍ଦ୍ରରେ ନରମ ଅବତରଣ କରିବାରେ ବିଫଳ ହୋଇଥିଲା। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର କଠିନ ଅବତରଣ କରି ଧ୍ବଂସ ପାଇଯିବା ଯୋଗୁ ଚନ୍ଦ୍ରଯାନ-୩ ପାଇଁ ସବୁ ବ୍ୟବସ୍ଥା ନୂଆ କରି କରିବାକୁ ପଡ଼ିଥିଲା। ସେ କହିଛନ୍ତି, କେଉଁ କାରଣରୁ ଚନ୍ଦ୍ରଯାନ-୨ ବିଫଳ ହେଲା, ତାହା ନିର୍ଣ୍ଣୟ କରିବାରେ ପ୍ରଥମ ବର୍ଷ ଚାଲିଗଲା। ତା’ ପରବର୍ଷ ସବୁକିଛି ନୂଆ କରି ପ୍ରସ୍ତୁତ କରାଗଲା। ଗତ ଦୁଇବର୍ଷ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରାଗଲା। କୋଭିଡ୍-୧୯ ମହାମାରୀ ଯୋଗୁ ମଧ୍ୟ ମହାକାଶ ଗବେଷଣା ପ୍ରଭାବିତ ହୋଇଥିଲା। ତା’ ସତ୍ତ୍ବେ ଆମେ କେତେକ ରକେଟ୍ ଉତ୍କ୍ଷେପଣ କରିଥିଲୁ। କୋଭିଡ୍ ପରେ ଆମେ ପୁଣି ଟ୍ରାକ୍କୁ ଫେରିଲୁ ବୋଲି ସୋମନାଥ କହିଛନ୍ତି। ଚନ୍ଦ୍ରଯାନ-୩ର ସଫଳତା ସ୍ବତନ୍ତ୍ର କାରଣ ଆଜିଯାଏ କୌଣସି ଦେଶ ଚନ୍ଦ୍ରରେ ଦକ୍ଷିଣମେରୁରେ ନରମ ଅବତରଣ କରିନାହାନ୍ତି। ଦକ୍ଷିଣମେରୁ ଚନ୍ଦ୍ରର ବିଷୁବ ବୃତ୍ତଠାରୁ ବହୁ ଦୂରରେ ଅବସ୍ଥିତ। ଆପୋଲୋ ସମେତ ବହୁ ଅଭିଯାନ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। କାରଣ ଚନ୍ଦ୍ରର ଏହି ଅଞ୍ଚଳଟି ଖାଲଖମା ଓ ଗଭୀର ଗର୍ତ୍ତରେ ପରିପୂର୍ଣ୍ଣ। ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ର ସମ୍ବନ୍ଧରେ ଆମର ଜ୍ଞାନକୁ ବିସ୍ତାର କରିବ। ଚନ୍ଦ୍ରରେ ଜଳ ଅଛି କିନା ଓ କେତେ ଜଳ ଅଛି ତାହା ଆମକୁ ଜଣାଇବ ଚନ୍ଦ୍ରଯାନ-୩। ୧୪ ଦିନ ପର୍ଯ୍ୟନ୍ତ ଛଅଚକିଆ ରୋଭର ଚନ୍ଦ୍ରପୃଷ୍ଠ ଉପରେ ପରୀକ୍ଷାନିରୀକ୍ଷା କରିବ। ଉଭୟ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭରର ଗୋଟିଏ ଚନ୍ଦ୍ର ଦିବସ ବା ପୃଥିବୀର ୧୪ ଦିନର ମିସନ ପରମାୟୁ ରହିଛି। ଚନ୍ଦ୍ରର ଦକ୍ଷିଣମେରୁରେ ଜଳ ଓ ଚନ୍ଦ୍ର ଖଣିଜର ଉପସ୍ଥିତି ନେଇ ରୋଭର ପରୀକ୍ଷାନିରୀକ୍ଷା କରି ଆମକୁ ଜଣାଇବ। ଚନ୍ଦ୍ରରେ ଆହୁରି ଅନେକ ସମ୍ଭାବନା ରହିଛି, ଯାହା ଉପରେ ବୈଜ୍ଞାନିକମାନେ ଅନୁଧ୍ୟାନ କରିବାକୁ ଆଗ୍ରହୀ। ଆମର ପାଞ୍ଚଟି ଯନ୍ତ୍ର ସେସବୁ ଅଞ୍ଚଳ ଉପରେ ଅନୁଧ୍ୟାନ କରି ତଥ୍ୟ ପ୍ରଦାନ କରିବ ବୋଲି ସୋମନାଥ କହିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……