Report Card Odisha

| Daily Odia News

ଚାଲିବନି ଆଉ ଅଫିସରରାଜ,ସାଂସଦ-ବିଧାୟକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଜେଡି ଶାସନ କାଳରୁ ଚାଲି ଆସିଥିବା ଅଫିସରରାଜ୍ ଉପରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିବ। ଏଣକି ଅଫିସରମାନେ ସାଂସଦ ଓ ବିଧାୟକମାନଙ୍କୁ ଆଉ ଅଣଦେଖା କରିପାରିବେ ନାହିଁ । ସମ୍ମାନ ଜଣାଇବେ, ସେମାନଙ୍କ କଥା ଶୁଣି ଆଇନର ଗଣ୍ଡି ଭିତରେ ରହି ପଦକ୍ଷେପ ମଧ୍ୟ ନେବେ । ପ୍ରତ୍ୟେକ ମାସରେ ବିଧାୟକ ଓ ସାଂସଦମାନେ କେଉଁ ବିଭାଗ ସହ କ’ଣ ପତ୍ର ବିନିୟମ କରିଛନ୍ତି ତା’ର ମଧ୍ୟ ମାସିକ ଉଚ୍ଚସ୍ତରୀୟ ସମୀକ୍ଷା ହେବ । ଏଭଳି କିଛି ଢଙ୍ଗରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇ ବୁକ୍ ସର୍କୁଲାର-୪୭ରେ ଥିବା ପ୍ରାବଧାନ ଆଧାରରେ ସାଂସଦ ଓ ବିଧାୟକମାନଙ୍କୁ ପ୍ରଶାସନିକ କଳ ସମ୍ମାନ ଦେବାକୁ ବାଧ୍ୟ ବୋଲି ସତର୍କ କରାଇ ଦିଆଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ବିଧାୟକ ଓ ସାଂସଦମାନଙ୍କୁ ବୁକ୍ ସର୍କୁଲାର-୪୭ର ପ୍ରାବଧାନ ଆଧାରରେ ଆବଶ୍ୟକ ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ଓ ସାଂସଦମାନଙ୍କ ଚିଠି ଓ ସୁପାରିଶ ଆଦି ଉପରେ ବିଚାର କରିବା ପାଇଁ ଯେଉଁ ବିଭାଗଗୁଡ଼ିକ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍ ଖୋଲିନାହାନ୍ତି ସେମାନେ ମଧ୍ୟ ତୁରନ୍ତ ଏହି ସେଲ୍ ଖୋଲିବାକୁ କହିଛନ୍ତି । ଏହି ସେଲ୍ ଦାୟିତ୍ୱରେ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ଡିଲିଙ୍ଗ୍ ଅଫିସର ମଧ୍ୟ ନିଯୁକ୍ତି ପାଇବେ । ଯିଏ ସାଂସଦ ଓ ବିଧାୟକମାନଙ୍କ ଚିଠି,ସୁପାରିଶ ଓ ଅନ୍ୟାନ୍ୟ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବେ। ସମ୍ପୃକ୍ତ ବିଭାଗ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଜିଲ୍ଲା-ବ୍ଲକସ୍ତରୀୟ ଅଫିସ୍ ମଧ୍ୟ ବିଧାୟକ ଓ ସାଂସଦମାନଙ୍କ ଚିଠି ଓ ସୁପାରିଶ ଉପରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ପ୍ରତିମାସର ୧୦ତାରିଖରେ ନିଜ ବିଭାଗକୁ ପଠାଇବେ । ଯାହାକୁ ସମ୍ପୃକ୍ତ ବିଭାଗ ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରତିମାସର ୧୫ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ପଠାଇବ । ମୁଖ୍ୟ ସଚିବ ନିଜେ ପ୍ରତିମାସର ୨୦ତାରିଖରେ ଏହାର ସମୀକ୍ଷା କରିବେ । ଯେଉଁ ସବୁ ଚିଠି ଉପରେ କାର୍ଯାନୁଷ୍ଠାନ ନିଆଯାଇଛି ତାହା ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଏକ ସ୍ୱତନ୍ତ୍ର ରିପୋର୍ଟ ମାଧ୍ୟମରେ ବିଭାଗଗୁଡ଼ିକ ଜଣାଇବେ । ଯଦି ବୁକ ସର୍କୁଲାର-୪୭ ଉଲ୍ଲଘଂନ ହୋଇଥିବାର କୌଣସି ପ୍ରମାଣ ମିଳେ ତା’ହେଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଏହି ବୁକ ସର୍କୁଲାରର ରୁଲ-୧୨ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ୨୦୨୪ ଅଗଷ୍ଟ ୭ତାରିଖରେ ସବୁ ବିଭାଗକୁ ଚିଠି ଲେଖି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୦୫ ଡିସେମ୍ବର ୨ତାରିଖରେ ଜାରି ବୁକ ସର୍କୁଲାର-୪୭ର ପ୍ରାବଧାନକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୁକ୍ ସର୍କୁଲାର-୪୭ର ପ୍ରାବଧାନ ଆଧାରରେ ବିଧାୟକ ଓ ସାଂସଦମାନଙ୍କୁ ସରକାରୀ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେବାକୁ ବାଧ୍ୟ । ଯଦି କେହି ବିଧାୟକ ଓ ସାଂସଦ କୌଣସି ଅଫିସକୁ ଯାଉଛନ୍ତି ସମ୍ପୃକ୍ତ ଅଧିକାରୀ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ ଓ ବିଦାୟ ଦେବ। ଯଦି ଫୋନ୍ କରିବେ ତାକୁ ମଧ୍ୟ ଗୁରୁତ୍ୱର ସହ ଶୁଣିବେ ଅବା ସଙ୍ଗେସଙ୍ଗେ କଲ୍ ବ୍ୟାକ୍ କରିବେ । ଯାହାକୁ ସେମାନେ ଏକ ରେଜିଷ୍ଟରରେ ପଞ୍ଜିକରଣ ମଧ୍ୟ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ବିଜେଡି ଶାସନ କାଳରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବଳରେ ସରକାରୀ ଅଫିସରମାନେ ଧରାକୁ ସରା ମଣୁଥିଲେ । ଯେଉଁଥିପାଇଁ ବିଧାୟକ ଓ ସାଂସଦମାନଙ୍କୁ ବିଭିନ୍ନ ସମୟରେ ଅପମାନିତ ହେବାକୁ ପଡ଼ୁଥିଲା । ନିର୍ବାଚିତ ଲୋକପ୍ରତିନିଧିମାନଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ହଡ଼ପ କରିନିଆଯାଇଥିଲା ।

Breaking News