Report Card Odisha

| Daily Odia News

କେନ୍ଦୁଝରରେ JSW ଓ ପସ୍କୋ ମିଳିତରେ ହେବ ଷ୍ଟିଲପ୍ଲାଣ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କେନ୍ଦୁଝରରେ JSW ଓ ପୋସ୍କୋ ମିଳିତ ଭାବେ ଏକ ଷ୍ଟିଲପ୍ଲାଣ୍ଟ କରିବେ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ ବେଳେ ଉଭୟ JSW ଓ ପୋସ୍କୋ ସହ ଆଲୋଚନା କରିଥିଲି। ଏହା ଭିତରେ ସେମାନେ ମଧ୍ୟ ପରସ୍ପର ମଧ୍ୟରେ ଏମ୍‌ଓୟୁ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ସେମାନେ ପ୍ଲାଣ୍ଟ କରିବେ ବୋଲି ମେନ୍‌ସନ୍‌ କରିଛନ୍ତି। କେନ୍ଦୁଝରରେ ନିଶ୍ଚିତ ଭାବେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, କେନ୍ଦୁଝର ଜିଲ୍ଲା ବହୁତ ଦେଇଛି। କିନ୍ତୁ ପାଇଛି କମ୍‌। ଓଡ଼ିଶାର ବିକାଶ କେନ୍ଦୁଝରରୁ ଆରମ୍ଭ ହେବ। ଓଡ଼ିଶା ସୁନାର ଓଡ଼ିଶା ହେବ। ସୁନାର କେନ୍ଦୁଝର ହେଲା ପରେ ଯାଇ ଓଡ଼ିଶା ସୁନାର ଓଡ଼ିଶା ହେବ। ମା’ କାଳୀଙ୍କ ନିକଟରେ ଏନେଇ ଆଜି ପ୍ରାର୍ଥନା କରିଛି। କେନ୍ଦୁଝର ଲୋକଙ୍କ ସୁଖସମୃଦ୍ଧି ବୃଦ୍ଧି କରିବା ସହିତ ସେମାନେ କିଭଳି ସ୍ୱାବଲମ୍ବୀ ହେବେ, ସେମାନେ କିଭଳି ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ, ସେଥିପାଇଁ ମୁଁ ଆଜି ମା’ଙ୍କ ନିକଟରେ ପ୍ରାର୍ଥନା କରିଛି। ହେଲେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ନିର୍ଦ୍ଦିଷ୍ଟ ଭାବେ କେଉଁଠି ହେବ ଏହି ମେଗା ପ୍ଲାଣ୍ଟ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ଦୁଇଟି ଜାଗା ଚିହ୍ନଟ ହୋଇଛି। ଗୋଟିଏ ହେଲା ପୂର୍ବରୁ ଷ୍ଟିଲ ପ୍ଲାଣ୍ଟ ପାଇଁ ଆର୍ସେଲର ମିତ୍ତଲକୁ ପାଟଣା ବ୍ଲକରେ ଦିଆଯାଇଥିବା ୨୯୫୬ ଏକରର ଜମି ଏବଂ ଅନ୍ୟଟି ବାଂଶପାଳ ବ୍ଲକର ତରମାକାନ୍ତ ସ୍ଥିତ ଓଡ଼ିଶା ଟି ପ୍ଲାଣ୍ଟେସନ୍ ଲିମିଟେଡ୍ (ଓଟିପିଏଲ)ର ଉଜୁଡ଼ିଯାଇଥିବା ଚା’ ବଗିଚାର ୨୫ ଶହ ଏକର ଜାଗା। ଚା’ ବଗିଚା ବନ୍ଦ ହେବା ପରେ ଏବେ ଏହି ଜମି ସରକାରଙ୍କ ଅଧୀନରେ ରହିଛି। ତେଣୁ ଏଭିତରୁ ଯେକୌଣସି ଗୋଟିକୁ ବାଛିବା ପାଇଁ ଖୁବ୍‌ଶୀଘ୍ର ଉଭୟ କମ୍ପାନୀର ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସୁଛି। ଉଭୟ କମ୍ପାନୀ ମଧ୍ୟରେ ବୁଝାମଣା ମୁତାବକ ପ୍ରାରମ୍ଭିକ ଭାବେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୫ ନିୟୁତ ଟନ୍ ରହିବ। ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଯାଇପାରେ। ତେବେ ଏନେଇ କେତେ ପୁଞ୍ଜିନିବେଶ ହେବ ତାହା ୨୦୨୫ ଜାନୁଆରୀରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଘୋଷଣା ହେବ ବୋଲି କୁହାଯାଉଛି। ହେଲେ ଜିଲ୍ଲାର ଯେଉଁଠି ବି ହେଉ, ମେଗା ଷ୍ଟିଲ୍ ପ୍ଲାଣ୍ଟ ବସିବା ଖବରରେ ବେଶ୍ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ।

Breaking News