Report Card Odisha

| Daily Odia News

କାବୁଲରେ ଆତ୍ମଘାତୀ ବିସ୍ଫୋରଣ,ମୃତ୍ୟୁ ସଂଖ୍ୟା ୭୨ କୁ ବୃଦ୍ଧି,୧୪୦ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ ନିୟନ୍ତ୍ରଣାଧୀନ ଆଫଗାନିସ୍ତାନ ରାଜଧାନୀ କାବୁଲରେ ୩ ଜାଗାରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ବିସ୍ପୋରଣରେ ମୃତ୍ୟୁ ସଂଖ୍ୟା ୭୨ କୁ ବୃଦ୍ଧି ପାଇଥିବା ବେଳେ ୧୪୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ୧୨ ଆମେରିକୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଅତିକମରେ ୬୦ ଜଣ ଗୁରୁତର ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାବୁଲ ବିମାନବନ୍ଦର ଆବେ ଗେଟ୍ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ବେଳେ ପରେ ପରେ ଗୁଳି ଶବ୍ଦ ଶୁଭିଥିଲା। ପରେ ପରେ ବ୍ୟାରନ ହୋଟେଲ ନିକଟରେ ହୋଇଥିଲା ଆଉ ଏକ ବିସ୍ଫୋରଣ। ଆମେରିକାରୁ ଏୟାରଲିଫ୍ଟ ପାଇଁ ଅପେକ୍ଷାରେ ଥିବା କିଛି ଆମେରିକୀୟ ନାଗରିକ ଏହି ହୋଟେଲରେ ଏକାଠି ହୋଇଥିଲେ। ଏଣୁ ଏହି ବିସ୍ଫୋରଣରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ପେଣ୍ଟାଗନ୍ ସ୍ପଷ୍ଟ କରିଛି। ତେବେ ୩ ଜଣ ଆମେରିକୀୟ ଆହତ ହୋଇଥିବା ଅନ୍ୟ ଏକ ସୂତ୍ରରୁ ଖବର ପ୍ରକାଶ ପାଇଛି।

ତାଲିବାନ କାବୁଲ ଦଖଲ କରିବା ପରଠାରୁ ହମିଦ କାର୍ଜାଇ ବିମାନ ବନ୍ଦରରେ ହଜାର ହଜାର ଲୋକ ଏକାଠି ହେଉଥିଲେ। ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ଏୟାରଲିଫ୍ଟ ପ୍ରକ୍ରିୟା ଜାରି ରଖିଥିବା ବେଳେ, ବହୁ ସଂଖ୍ୟାରେ ଆଫଗାନ ନାଗରିକ ଦେଶ ଛାଡ଼ିବା ପାଇଁ ମଧ୍ୟ ସେଠାରେ ଏକାଠି ହେଉଥିଲେ। ଏପରିକି ସେଠାରେ ବହୁବାର ଗୁଳିକାଣ୍ଡ ମଧ୍ୟ ଘଟିଥିଲା। ତେବେ ଗୁରୁବାର ରାତିରେ କାବୁଲ ବିମାନ ବନ୍ଦର ନିକଟରେ ଆତ୍ମଘାତୀ ବିସ୍ଫୋରଣ ହେବା ନେଇ ଆଲର୍ଟ ଦେଇଥିଲା ବ୍ରିଟେନ ଏବଂ ଆମେରିକା । ପରେ ପରେ ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ନିଜ ନିଜ ନାଗରିକଙ୍କୁ କାବୁଲ ବିମାନ ବନ୍ଦର ନିକଟକୁ ନ ଆସିବା ଲାଗି ଆଲର୍ଟ ଜାରି କରିଥିଲେ। ଗୁଇନ୍ଦା ସୂଚନା ଆସିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ବିମାନ ବନ୍ଦର ନିକଟରେ ବିସ୍ଫୋରଣ ଘଟିଥିଲା। ଏହା ପରେ ପରେ ଫ୍ରାନସ ରାଷ୍ଟ୍ରଦୂତଙ୍କ ନିକଟକୁ ଦ୍ବିତୀୟ ବିସ୍ଫୋରଣ ସୂଚନା ଆସିଥିବା ନେଇ ସେ ଟ୍ବିଟ କରି ଜଣାଇଥିଲେ।

Breaking News