ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ କମିବ ତାତି ଓ ପାଗ ଥଣ୍ଡା ରହିବ। ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ଆସନ୍ତା ୧୫ ତାରିଖ ଯାଏ ପାଗରେ ବିଶେଷ ପରିବର୍ତ୍ତନ ନାହିଁ। ଗତକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ ଓ ଗଜପତି ଜିଲ୍ଲା ଆର୍ ଉଦୟଗିରିରେ ୨୦ ମିମି ଲେଖାଏଁ ଏବଂ ରାୟଗଡ଼ାଠାରେ ୧୦ ମିମି ବର୍ଷା ହୋଇଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ଏସଆରସି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ। ସେହିଭଳି ୧୩ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ଝଡ଼ବର୍ଷା ହେବ। ୧୫ ତାରିଖ ଦିନ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୩୦ରୁ ୪୦ ମିମି ବେଗରେ ପବନ ବହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର ଓ ଭଦ୍ରକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ଆସନ୍ତାକାଲି ଭୁବନେଶ୍ବର ସମେତ ଏହାର ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ପାଖାପାଖି ରହିବ।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..