Report Card Odisha

| Daily Odia News

କଙ୍ଗନାଙ୍କ ବୃତ୍ତିରୁ ନିଜକୁ ଦୂରେଇଲା ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କଙ୍ଗନା ପୁଣିଥରେ କୃଷକଙ୍କୁ ନେଇ ଦେଇଛନ୍ତି ବୟାନ। ତିନି କୃଷି ଆଇନ୍‌କୁ ଫେରାଇ ଆଣିବାକୁ ସେ ବୟାନ ଦେଇଛନ୍ତି। ବିଜେପି ସାଂସଦଙ୍କ ଏହି ବୟାନକୁ ନେଇ ଏବେ ଜୋରଧରିଛି ରାଜନୀତି। ଆରମ୍ଭ ଯୋଇଯାଇଛି ରାଜନୈତିକ ବୟାନବାଜୀ। ତେବେ କଙ୍ଗନାଙ୍କ ବିବୃତ୍ତିରୁ ବିଜେପି ନିଜକୁ ଦୂରେଇ ରଖିଛି। ଏହା ଦଳର ବିବୃତ୍ତି ନୁହେଁ ବୋଲି କହିଛି। ଏଲଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, ‘ଏହା କଙ୍ଗନାଙ୍କ ବ୍ୟକ୍ତିଗତ ବିବୃତ୍ତି, ଏହା ତାଙ୍କ ଚିନ୍ତାଧାରା ହୋଇପାରେ। ଏହା ଦଳର କୌଣସି ବିବୃତ୍ତି ନୁହେଁ।’ ସେହିପରି ବିଜେପି ମୁଖପାତ୍ର ଗୌରବ ଭାଟିଆ କଙ୍ଗନାଙ୍କ ମନ୍ତବ୍ୟକୁ ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି। ସେପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦ୍ର ଯାଦବ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି , ‘ଚିନ୍ତା କରିବାର ପ୍ରଶ୍ନ ହେଉଛି କଙ୍ଗନା ରାଣାଓ୍ୱଙ୍କୁ କିଏ ପ୍ରୋତ୍ସାହିତ କରୁଛି | ଦଳ ତାଙ୍କୁ କାହିଁକି ଅଟକାଉ ନାହିଁ | ଏହି ମହିଳା ପୂର୍ବରୁ କୃଷକମାନଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ଏହା କୃଷକମାନଙ୍କ ପାଇଁ ଏକ ଲଜ୍ଜାଜନକ ବକ୍ତବ୍ୟ। ଏଥିରେ ବିଜେପିର ମୌନ ସହମତି ରହିଛି କି।’ ସେହିପରି ଜନତା ଦଳ ୟୁନାଇଟେଡ୍‌ର ବରିଷ୍ଠ ନେତା କେସି ତ୍ୟାଗୀ ମଧ୍ୟ କଙ୍ଗନାଙ୍କ ବୟାନକୁ ନେଇ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ‘ କଙ୍ଗନାଙ୍କ ବିବୃତ୍ତି ଚାଷୀଙ୍କ ପ୍ରତି ଅପମାନ। ତାଙ୍କ ବିରୋଧରେ ବିଜେପି ଆକ୍ସନ ନେବା ଉଚିତ। ଏହା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ଅପମାନ। ଆମେ ମଧ୍ୟ ଏହି କୃଷି ଆଇନ ବିରୋଧରେ ଥିଲୁ, ଆମେ କଙ୍ଗନା ରାଣାୱତଙ୍କ ବୟାନକୁ ବିରୋଧ କରୁଛୁ।’ ବିବାଦ ବଢ଼ିବା ପରେ ହିମାଚଳ ପ୍ରଦେଶର ମାଣ୍ଡି ସାଂସଦ କଙ୍ଗନା ମଧ୍ୟ ଏକ୍ସରେ ଟ୍ୱିଟ୍‌ କରି ଏହା ତାଙ୍କର ବ୍ୟକ୍ତିଗତ ବିବୃତ୍ତି ବୋଲି କହିଛନ୍ତି। କୃଷି ଆଇନ ଉପରେ ମୋର ମତ ବ୍ୟକ୍ତିଗତ ଏବଂ ଏହାର ଦଳ ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ ଟ୍ୱିଟ୍‌ କରିଛନ୍ତି। ତିନି କୃଷି ଆଇନ୍‌କୁ ବିରୋଧ କରି ନଭେମ୍ବର ୨୦୨୦ରେ ହଜାର ହଜାର ଚାଷୀ ଆନ୍ଦୋଳନକୁ ଓହ୍ଳାଇଥିଲେ। ଏହାପରେ କେନ୍ଦ୍ର ସରକାର ନଭେମ୍ବର ୨୦୨୧ରେ ଏହାକୁ ରଦ୍ଦ କରିଥିଲେ।

Breaking News