Report Card Odisha

| Daily Odia News

ଆଇ ଆମ ବ୍ୟାକ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ସନ୍ଧ୍ୟାରେ ତିହାର ଜେଲରୁ ମୁକ୍ତ କରାଯାଇଛି। ଜେଲରୁ କେଜ୍ରିୱାଲ ସିଧା ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେଠାରେ ଉପସ୍ଥିତ ଆପ କର୍ମୀ ଓ ସମର୍ଥକଙ୍କୁ ଅଲିଭ ଟି-ଶାର୍ଟ ପିନ୍ଧି ଥିବା କେଜ୍ରିୱାଲ କହିଛନ୍ତି, “ଆଇ ଆମ ବ୍ୟାକ। ଆପଣ ସମସ୍ତଙ୍କ ସାମ୍ନାରେ ରହି ଖୁବ ଭଲ ଲାଗୁଛି। ମୁଁ ଆପଣଙ୍କୁ କହିଥିଲି ଯେ ମୁଁ ଶୀଘ୍ର ଆସିବି।ଏବେ ମୁଁ ଆସି ଯାଇଛି। ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନେ ମୋତେ ଆଶୀର୍ବାଦ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତିମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ପାଇଁ ଆଜି ମୁଁ ଆପଣମାନଙ୍କ ସାମ୍ନାରେ ରହିଛି। ଆମେ ଦେଶକୁ ଏକଛତ୍ରବାଦରୁ ସୁରକ୍ଷା କରିବାକୁ ପଡ଼ିବ।”ଆଜି (ଶନିବାର) ଦିଲ୍ଲୀର କନ୍ନୌଟ ପ୍ୟାଲେସରେ ଥିବା ହନୁମାନ ମନ୍ଦିର ପାଖରେ ଏକାଠି ହେବାକୁ କହିଛନ୍ତି। ଆସନ୍ତାକାଲି ସେ ହନୁମାନଙ୍କ ଦର୍ଶନ ପରେ ପାର୍ଟି ଅଫିସରେ ଦିନ ୧ଟା ବେଳକୁ ସାମ୍ବାଦିକ ସମ୍ମିଳନୀ କରିବେ। ଜାମିନ ସର୍ତ୍ତ ଅନୁଯାୟୀ କେଜ୍ରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଦିଲ୍ଲୀ ସଚିବାଳୟକୁ ଯିବେ ନାହିଁ। ଉପରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ନ ଥିଲେ ସେ ସରକାରୀ ଫାଇଲରେ ଦସ୍ତଖତ କରିବେ ନାହିଁ। କେଜ୍ରିୱାଲ ବର୍ତ୍ତମାନ ମାମଲାରେ ତାଙ୍କ ଭୂମିକା ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ ଏବଂ କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ ଓ ମାମଲା ସମ୍ବନ୍ଧୀୟ କୌଣସି ସରକାରୀ ନଥିପତ୍ର ମଗାଇପାରିବେ ନାହିଁ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୭ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବାର ଗୋଟିଏ ଦିନ ପରେ ଜୁନ୍ ୨ ତାରିଖରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ କେଜ୍ରିୱାଲ ଜାମିନ ଆବେଦନ କରିଥିଲେ। ତାଙ୍କୁ ଗିରଫ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବିଳମ୍ବ ଉପରେ ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଗଷ୍ଟ ୨୦୨୨ରେ କେଜ୍ରିୱାଲଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରିଥିଲା, କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ୨୧ରେ ତାଙ୍କୁ ଗିରଫ କରାଯାଇଥିଲା।

 

Breaking News