ରିପୋର୍ଟ କାର୍ଡ / ଭଦ୍ରକ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ-ମାଧପୁର ରାସ୍ତା କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍ ମଧ୍ୟ ମିଳିଛି। ମୃତକ ହେଲେ ପରମାନନ୍ଦପୁର ଗାଁର ୨୪ ବର୍ଷୀୟ ବସନ୍ତ ଦାସ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ବସନ୍ତକୁ ଚିହ୍ନଟ କରିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ। ଅପରାହ୍ନ ୪ଟାରେ ସେ ଘରକୁ ଫେରିଥିଲେ। ସେହି ସମୟରେ ମୋବାଇଲ୍ ତାଙ୍କ ପାଖରେ ନଥିଲା। ମୋବାଇଲ୍ କୁଆଡ଼ା ଗଲା ବୋଲି ପରିବାର ଲୋକ ପଚାରିବାରୁ ସେ କହିଥିଲେ, ସାଙ୍ଗମାନଙ୍କ ପାଖରେ ମୋବାଇଲ୍ ଅଛି ଓ ସେମାନେ ଗୀତ ଶୁଣୁଛନ୍ତି। ଏହାପରେ ପୁଣି ଗାଡ଼ି ନେଇ ସେ ଘରୁ ଚାଲି ଯାଇଥିଲେ। ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ଓ ଫୋନ୍ ମଧ୍ୟ କରିଥିଲେ। ହେଲେ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା। ସୋମବାର ସକାଳୁ ବସନ୍ତଙ୍କ ମୃତଦେହ ଏକ କେନାଲରେ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ବସନ୍ତଙ୍କ ବାଇକ୍ ମଧ୍ୟ ପଡ଼ିଥିଲା। ବସନ୍ତଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ‘ବସନ୍ତଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଧରାଯାଇ ସେମାନଙ୍କୁ ଦଣ୍ଡ ମିଳୁ।’ ବସନ୍ତଙ୍କ ସହ ଯେଉଁ ୨ ଜଣ ଯୁବକ ଥିଲେ ସେମାନଙ୍କୁ ପରିବାର ଲୋକେ ଚିହ୍ନି ନ ଥିବାବେଳେ ସେମାନେ ବସନ୍ତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ବସନ୍ତଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ହେଲେ ମୃତ୍ୟୁର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଚାନ୍ଦବାଲି ଏସ୍ଡିପିଓ ପହଞ୍ଚି ତଦନ୍ତ କରିଛନ୍ତି। ଏହାସହ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗତ ୬ ମାସ ପୂର୍ବେ ବସନ୍ତ ବିବାହ କରିଥିଲେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..