ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାନାଡାସ୍ଥିତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର୍ଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। କାନାଡା ଅନ୍ତର୍ଗତ ବ୍ରିଟିଶ୍ କଲମ୍ବିଆ ପ୍ରଦେଶର ପଞ୍ଜାବୀ ସମ୍ପ୍ରଦାୟ ବହୁଳ ସରି ନଗରୀସ୍ଥିତ ଗୁରୁ ନାନକ ଶିଖ୍ ଗୁରୁଦ୍ବାରରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସୂଚନାଯୋଗ୍ୟ, ସେ ଥିଲେ ସରି ନଗରୀ ଗୁରୁ ନାନକ ଶିଖ୍ ଗୁରୁଦ୍ବାରର ଅଧ୍ୟକ୍ଷ। ଭାରତରେ ନିଷିଦ୍ଧ କରାଯାଇଥିବା ‘ଶିଖ୍ସ୍ ଫର୍ ଜଷ୍ଟିସ୍’ (ଏସ୍ଏଫ୍ଜେ) ନାମକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ସହିତ ସେ ସମ୍ପୃକ୍ତ ଥିଲେ। ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନିଜ୍ଜାର୍ଙ୍କ ନାମରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ ପୂର୍ବରୁ ଚାର୍ଜସିଟ୍ ଦାଖଲ କରିଥିଲା। ପଞ୍ଜାବରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ନିଜ୍ଜାର୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତ ମଧ୍ୟ କାନଡୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ କହିଥିଲା। ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା କରାଯିବା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ନିଜ୍ଜାର୍ଙ୍କୁ ଧରାଇଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ୨୦୨୨ରେ ‘ଏନ୍ଆଇଏ’ ଘୋଷଣା କରିଥିଲା । ପୂଜକଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ର କରିଥିଲା ‘ଖଲିସ୍ତାନୀ ଟାଇଗର୍ ଫୋର୍ସ’ ନାମକ ସଙ୍ଗଠନ। ନିଜ୍ଜାର୍ ଥିଲେ ଏହାର ମୁଖ୍ୟ। ଏହାଛଡ଼ା, କେତେକ ହିଂସାକାଣ୍ଡ ଓ ବିଦ୍ରୋହୀ କାର୍ଯ୍ୟରେ ସମ୍ପୃକ୍ତ ଥିବା କାରଣରୁ ନିଜ୍ଜାର୍ଙ୍କୁ ଭାରତ ସରକାର ‘ୱାଣ୍ଟେଡ୍ ଟେରରିଷ୍ଟ୍’ ବୋଲି ଘୋଷଣା କରିଥିଲେ। ନିକଟରେ ଭାରତ ସରକାର ପ୍ରକାଶ କରିଥିବା ୪୦ଜଣ ‘ଡେଜିଗ୍ନେଟେଡ୍ ଟେରରିଷ୍ଟ୍’ ତାଲିକାରେ ନିଜ୍ଜାର୍ଙ୍କ ନାଁ ମଧ୍ୟ ଥିଲା।






More Stories
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..