ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇ ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ସେହିପରି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପି ଦଳରୁ ବହିଷ୍କାର କରିଛି । ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ, ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି । ଦଳର ମିଡିଆ ସେଲକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନରେ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ତାଙ୍କୁ କାକଟପୁର, ନିମାପଡ଼ା, ପିପିଲି ଓ ସତ୍ୟବାଦୀ ବିଧାନସଭା ଆସନର ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଦାୟିତ୍ୱ ବିଶେଷ ଭାବେ ପ୍ରଦାନ କରାଯାଇଛି । ଶ୍ରୀ ଦାଶଙ୍କ ବ୍ୟତୀତ ନାଲକୋର ପୂର୍ବତନ ଅବସରପ୍ରାପ୍ତ ଅଧିକାରୀ ତପନ କୁମାର ଚାନ୍ଦଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି । ଅନ୍ୟପକ୍ଷରେ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ ପ୍ରାର୍ଥୀ ହୋଇଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆଜି ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଶ୍ରୀ ସ୍ୱାଇଁଙ୍କ ସମେତ ରେମୁଣାର ବିଜୟ କୁମାର ସେଠୀ, ଜଳେଶ୍ୱରର ଦିବ୍ୟକାମ ମହାନ୍ତି, ଉଦଳାର କାଳୀଚରଣ ପାତ୍ର, କରଞ୍ଜିଆର ଯୁଗଳ କିଶୋର ନାୟକ ଓ ବରିର କବିର ଦାସଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଜଣାପଡ଼ିଛି ।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..