Report Card Odisha

| Daily Odia News

ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା :ଅଭିଯୁକ୍ତର ହେବ ସାଇକୋଲଜିକାଲ ଟେଷ୍ଟ,ସନ୍ଦେହ ପ୍ରକାଶ କଲେ ପରିବାର ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI। ଅଭିଯୁକ୍ତ ସଞ୍ଜୟ ରାୟର ହେବ ସାଇକୋଲଜିକାଲ୍ ଟେଷ୍ଟ। ଏଥିପାଇଁ ସିବିଆଇର CFSL ଟିମ୍‌ ଟେଷ୍ଟ କରିବା ପାଇଁ କୋଲକାତା ପହଞ୍ଚି ସାରିଛନ୍ତି। ସିବିଆଇ ଅଭିଯୁକ୍ତ ସଞ୍ଜୟର ମାନସିକ ଅବସ୍ଥାକୁ ଯାଞ୍ଚ କରିବ। ତା’ସହ ସିବିଆଇ ସେମିନାର୍ ହଲର 3D ଲେଜର୍ ସ୍କାନ୍ କରିଛି। ଘଟଣା ଦିନ କ୍ରାଇମ୍ ସିନ୍-ସେମିନାର୍ ହଲରେ କେତେ ଜଣ ବ୍ୟକ୍ତି ଥିଲେ ସେ ଦିଗରେ ମଧ୍ୟ ତଦନ୍ତ କରିଛି। ସୂତ୍ର ଅନୁସାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଫୋନରୁ ଅନେକ ଆପତ୍ତିଜନକ କଣ୍ଟେଣ୍ଟ ଏବଂ ଭିଡିଓ ମିଳିଛି। ଏଭଳି ପରିସ୍ଥିତିରେ ଯାଞ୍ଚ ଏଜେନ୍ସି ଅଭିଯୁକ୍ତର ମାନସିକ ସ୍ଥିତି ଜାଣିବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଦୁଷ୍କର୍ମ ଓ ହତ୍ୟା ପଛର କାରଣ ଖୋଜି ବାହାର କରାଯାଇପାରିବ। ଏଥିସହ ଏହି ଟେଷ୍ଟ ଜରିଆରେ ଅଭିଯୁକ୍ତର ଅନେକ ରହସ୍ୟ ଉପରୁ ମଧ୍ୟ ପରଦା ଉଠିପାରେ ବୋଲି ବିଶ୍ୱାସ କରାଯାଉଛି। ଏହା କେବଳ ଦୁଷ୍କର୍ମ ନୁହେଁ ଗଣ ଦୁଷ୍କର୍ମ ନେଇ ପରିବାରଲୋକେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରୁଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ତଥା ସିବିଆଇ। ପ୍ରତିଦିନ ନୂଆ ନୂଆ ତଥ୍ୟ ଅନେକ ଘଟଣା ଉପରୁ ପରଦା ହଟାଉଛି। ସେପଟେ କୋଲକାତା RG କର୍ ମେଡିକାଲ ସମ୍ମୁଖରେ ଡାକ୍ତର ଓ ସାଧାରଣ ଲୋକେ ଏବେ ବି ଧାରଣାରେ ବସିଛନ୍ତି। ଏହାରି ଭିତରେ ପୀଡ଼ିତାଙ୍କ ବାପା ଝିଅର ହତ୍ୟା ସ୍ଥଳକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସମ୍ଭବତଃ ତାଙ୍କ ଝିଅଙ୍କୁ ହସ୍ପିଟାଲର ଆଉ କେଉଁ ରୁମରେ ହତ୍ୟା କରାଯାଇଥିଲା ଓ ମୃତଦେହକୁ ପରବର୍ତ୍ତୀ ଅବସ୍ଥାରେ ସେମିନାର ହଲକୁ ଅଣାଯାଇଥିଲା ବୋଲି ସେ ଆଶଙ୍କା କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ “ଆମେ ପୋଲିସର ତ୍ରୁଟିକୁ ଠାବ କରିଛୁ ଓ ସିବିଆଇକୁ କହିଛୁ। ଝିଅକୁ ସେମିନାର ହଲରେ ହତ୍ୟା କରାଯାଇଥିଲା କି ନାହିଁ, ତା’କୁ ନେଇ ଏବେ ଆମେ ସନ୍ଦେହ କରୁଛୁ। ସମ୍ଭବତଃ ତା’କୁ ଆଉ କେଉଁ ଠାରେ ହତ୍ୟା କରାଯାଇଛି। ଆମର ସିବିଆଇ ଉପରେ ପୂରା ଭରସା ରହିଛି। ଦୋଷୀକୁ କଡ଼ା ଦଣ୍ଡ ଦିଆଯାଉ। ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ମୋର ଗୋଟିଏ ଝିଅ ଚାଲିଗଲା। କିନ୍ତୁ ଏବେ ମୋତେ ଲାଗୁଛି ମୋର କୋଟି କୋଟି ପୁଅ ଓ ଝିଅମାନେ ଆଜି ରାଜରାସ୍ତାରେ ବସିଛନ୍ତି। ଏନେଇ ପୂରା ବିଶ୍ୱରେ ବିପ୍ଳବ ଦେଖାଯାଇଛି। ଆମେ ନ୍ୟାୟ ଚାହୁଁଛୁ।” ଛାତି ରୋଗ ବିଭାଗର ତୃତୀୟ ମହଲାରେ ଥିବା ସେମିନାର ହଲ ନିକଟରେ ନବୀକରଣ କାମ ପାଇଁ ନିର୍ଦ୍ଦେଶ ଦିଆଯିବା ଘଟଣା ପରେ ଏପରି ସନ୍ଦେହ ପ୍ରକାଶ ପାଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିବାକୁ ଏପରି କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର କଲିକତା ହାଇକୋର୍ଟ ମଧ୍ୟ ଅପରାଧ ଘଟିଥିବା ସ୍ଥାନ ନିକଟରେ ତରିବରିଆ ନବୀକରଣ କାମ ଆରମ୍ଭ କରିବା କାରଣ ସମ୍ପର୍କରେ ମଧ୍ୟ ବେଙ୍ଗଲ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ବେଙ୍ଗଲ ସରକାର କହିଛନ୍ତି ଯେ ଅଭିଯୋଗ ଭିତ୍ତିହୀନ। ଡାକ୍ତରମାନଙ୍କ ବିଶ୍ରାମ କକ୍ଷ ପାଇଁ ନବୀକରଣ କାମ କରାଯାଉଛି।

Breaking News