ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଡି (ଏସ) ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବିଜେପି ନେତା ଜି ଦେବରାଜେ ଗୌଡ଼ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯାଇ ପୋଲିସ ହେପାଜତରେ ନିଆଯାଇଥିଲା। ସେ ବେଙ୍ଗାଲୁରୁରୁ ଚିତ୍ରଦୂର୍ଗା ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କୁ ମଧ୍ୟ ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ରହିଛି। ଜଣେ ୩୬ ବର୍ଷୀୟା ମହିଳା ଜି ଦେବରାଜେଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ଯେ ସେ କୁଆଡ଼େ ମହିଳାଙ୍କ ନାମରେ ଥିବା ଜମି ବିକାଇ ଦେବେ ବୋଲି କହି ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ତେବେ ପରବର୍ତ୍ତୀ ସମୟରେ ମହିଳା ଜଣକ ତାଙ୍କ ବିରୋଧରେ ସ୍ବର ଉଠାଇଥିଲେ। ମହିଳାଙ୍କ ଅଭିଯୋଗ ପରେ ଜି ଦେବରାଜେ ଗୌଡ଼ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।
୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରଜ୍ବଳଙ୍କ ପିତା ତଥା ହୋଲେନାରସିପୁରା ବିଧାୟକ ଏଚଡି ରେବାନ୍ନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଗୋଡ଼ ଅନେକ ମହିଳାଙ୍କର ଯୌନ ଶୋଷଣର ଭିଡିଓ ପ୍ରଘଟ କରିଥିବା ଅଭିଯୋଗ ହୋଇଛି। ସେ ଏହି ଭିଡିଓ ପ୍ରଘଟ କରିଛନ୍ତି ବୋଲି ପୂର୍ବରୁ କଂଗ୍ରେସ ଅଭିଯୋଗ ଆଣିଛି। ଗତବର୍ଷ ପ୍ରଜ୍ବଳ ରେବାନ୍ନାଙ୍କ ଯୌନ ଶୋଷଣ ସମ୍ପର୍କରେ ଗୌଡ଼ ବିଜେପି ନେତୃତ୍ୱକୁ ସତର୍କ କରାଇଥିଲେ ଏବଂ ହାସନରୁ ଜେଡି (ଏସ) ନେତାଙ୍କୁ ଲୋକସଭା ଟିକେଟ୍ ନଦେବାକୁ ଦଳକୁ କହିଥିଲେ। ଗତ ବର୍ଷ ଜେଡି (ଏସ୍) ସହିତ ଏକ ମେଣ୍ଟ ଗଠନ କରିଥିବା ବିଜେପି ହାସନରୁ ପ୍ରଜ୍ବଳଙ୍କୁ ଟିକେଟ୍ ଦେବାକୁ ସ୍ଥିର କରିଥିଲା।






More Stories
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..