ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପାଇଥିବା ଜମି ଲୋକଙ୍କୁ ଫେରସ୍ତ ହେବ। ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ମୋଟ ୩ ହଜାର ୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା। ଜମିହରାଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ। ଏନେଇ ସରକାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନେ ଦୁଇ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ। ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି କହିଛନ୍ତି, ଲୋକଙ୍କୁ ସେମାନଙ୍କ ଜମି ମିଳିବା ସହ ସେମାନେ ନିଜ ଜମିକୁ ଦଖଲକୁ ନେବେ। ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ। ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ। ପୂର୍ବ ସରକାର ୨୦୦୬ ମସିହାରେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବେଦାନ୍ତ ସହ ଏମ୍ଓୟୁ କରିଥିଲେ। ଏଥିପାଇଁ ଭିନ୍ନ ଭିନ୍ନ ସମୟରେ ନାମକରଣ ତିନି ଥର ବଦଳିଲା। ୨୨ଟି ଗାଁର ଜମି ସହ ସରକାରୀ ଜମି ଦିଆଯିବାକୁ ଚୁକ୍ତି ହୋଇଥିଲା। ଘଟଣାରେ ବାସଚ୍ୟୁତ ହୋଇଥିବା ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ। ୨୦୨୩ରେ ଅଧିଗ୍ରହଣକୁ ଖାରଜ କରିବା ସହ ଜମି ଫେରାଇବାକୁ ଆଦେଶ ଦେଇଥିଲେ ହାଇକୋର୍ଟ। ଲିଜ ଜମି ସରକାର ତାଙ୍କ ପାଖକୁ ଆଣିବେ ବୋଲି ଉଚ୍ଚ ଅଦାଲତ କହିଥିଲେ। ବେଦାନ୍ତ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା। ମାତ୍ର ସୁପ୍ରିମକୋର୍ଟ ରାୟକୁ କାଏମ ରଖିଥିଲେ। ଏଣୁ ସରକାର ଜମି ଫେରାଇବା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ପଦକ୍ଷେପ ନେବ। ବିଜ୍ଞପ୍ତି ପ୍ରକାଶ ପାଇବ ଓ ତା’ପରେ ଜମି ଫେରାଯିବ ବୋଲି ମନ୍ତ୍ରୀ କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……