ରିପୋର୍ଟ କାର୍ଡ / ଭୁବନେଶର
ନୂଆପଡ଼ାର ଉପନିର୍ବାଚନରେ ଭୋଟ ଚୋରି ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଏହି ଅବସରରେ ମଙ୍ଗଳବାର ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଖବରଦାତାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ୨୬ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ଉଭୟ ଭାଜପା ଓ ବିଜେଡି ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ପ୍ରତାରଣା କରିଛନ୍ତି। ଯାହାର ଫଳ ସ୍ବରୂପ ନୂଆପଡ଼ା ଉପନିର୍ବାଚନରେ ବିଜେଡି ଓ ଭାଜପା ପ୍ରତି ଲୋକଙ୍କ ସମର୍ଥନ ମିଳୁନଥିବାରୁ ଏବଂ ମାଟିର ପୁଅ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତି ଲୋକସମର୍ଥନ ଦେଖି ଶାସକ ଭାଜପା ଦଳ ବଳ ଓ କୌଶଳ ଲଗାଇ ଅନୈତିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ଏପରିକି ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଡୁମେରବାହାଲର ୩୩୯ ନମ୍ବର ବୁଥରେ ଭାଜପାକୁ ଭୋଟ ଦେବା ପାଇଁ ଟଙ୍କା ବଣ୍ଟା ଯାଉଥିଲା। କଂଗ୍ରେସର ଜଣେ କର୍ମୀଙ୍କ ସ୍ତ୍ରୀ ଅଭିଯୋଗ କରିବାରୁ ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ନିର୍ବାଚନ ନୀରବ ଅବଧି ସମୟ ପୂର୍ବରୁ ବାହାର ଜିଲ୍ଲାର ରାଜନୈତିକ ବ୍ୟକ୍ତି ଯିଏ କିଜିଲା ବାହାରୁ ଆସିଥିଲେ ସମସ୍ତଙ୍କୁ ବାହାର କରିଦିଆଗଲା। କିନ୍ତୁ ଭାଜପାର ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, କର୍ମକର୍ତ୍ତାମାନେ ସେମାନେ ନିର୍ବାଚନମଣ୍ଡଳୀ ବୁଲିଲେ, ଅବାଧରେ ଟଙ୍କା ବାଣ୍ଟିଲେ। ଇଭିଏମ ମେଶିନରେ କଂଗ୍ରେସ ବଟମ ଚିପିଲେ ଭାଜପାର ଲାଇଟ ଜଳୁଛି ଅର୍ଥାତ୍ କଂଗ୍ରେସକୁ ଭୋଟ ଦେଲେ ଭାଜପାକୁ ଯାଉଛି। ଯାହା କି ୨୫୦ ନମ୍ବରର ବୁଥରେ ପ୍ରମାଣିତ ହୋଇଛି। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଜିଲା ନିର୍ବାଚନ ଅଧିକାରୀ, ପ୍ରଶାସନ ସବୁ ଦେଖି ଚୁପ ରହିଛି।ଭାଜପା ଦଳୀୟ କର୍ମୀ ଲୋକମାନଙ୍କୁ ଭାଜପା ଚିହ୍ନ ଲଗା ଟ୍ରାକ୍ଟରରେ ବୁଥ ମଧ୍ୟକୁ ଆଣୁଛନ୍ତି।ଯାହାକି ନିର୍ବାଚନଆଦର୍ଶ ଆଚରଣ ଉଲଂଘନ କରୁଛି। ଜିତମିତ୍ର ହାଇସ୍କୁଲରେ ଜଣେ ମହିଳା ଭୋଟ ଦେଇ ନପାରି ଫେରିଛନ୍ତି । କାରଣ ତାଙ୍କ ଭୋଟ ଆଉ କିଏ ଦେଇଦେଇଛି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ବୁଥ ମଧ୍ୟରେ ମୋଦି, ମୁଖ୍ୟମନ୍ତ୍ରୀ, ଏବଂ ଭାଜପା ପ୍ରାର୍ଥୀ ଫଟୋ ଥିବା ଚିରୁକୁଟି ବଣ୍ଟା ଯାଉଛି । ଯଦି ସରକାରୀ ଅଫିସରଙ୍କ ସହାୟତାରେ ସବୁ କ୍ଷେତ୍ରରେ ଭାଜପା ଦଳ ଭୋଟ ଚୋରି କରୁଛି ବା ରାଗିଂ କରୁଛି ତେବେ ତୁରନ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଏବଂ ପୁନର୍ବାର ନିର୍ବାଚନ ହେଉ ବୋଲି କଂଗ୍ରେସ ଦାବି କରୁଛି ବୋଲି ଡ଼ ମହାପାତ୍ର କହିଛନ୍ତି ।






More Stories
ନୟାଗଡରେ ବୋମାମାଡ଼……
ବଢ଼ିଲା ବାଲିଯାତ୍ରା ଅବଧି……
୨୪ ରୁ ବରଗଡ଼ ଧନୁଯାତ୍ରା…..