ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀପାବଳି ଉତ୍ସବ ପାଇଁ ଅଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି | ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔପଚାରିକଭାବେ ‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦ୍ଘାଟନ କରିବେ। ୧୨ ଲକ୍ଷ ଦୀପରେ ପ୍ରଜ୍ଜ୍ୱଳିତ ହେବ ରାମ ଜନ୍ମଭୂମିରେ। ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ବ୍ୟାପକ ଆୟୋଜନ ଚାଲିଛି। କେବଳ ରାମ କି ପୈଡୀ ଘାଟରେ ଚଳିତ ବର୍ଷ ୯ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ। ଅନ୍ୟ ୩ ଲକ୍ଷ ଦୀପ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ଜଳାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାଚୀନ ସହର ଅଯୋଧ୍ୟାର ସାମଗ୍ରିକ ବିକାଶ ଆଧାରିତ ‘ଅଯୋଧ୍ୟା ଭିଜନ୍ ଡକ୍ୟୁମେଣ୍ଟ୍’ ରିଲିଜ୍ କରିବେ। ସୂଚନାଯୋଗ୍ୟ ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ‘ରାମ୍ କୀ ପୈଦୀ ଘାଟ’ରେ ରଙ୍ଗିନ ଆଲୋକମାଳିକାରେ ଉଦ୍ଭାସିତ ହୋଇଥିଲା। ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ ‘ଦୀପୋତ୍ସବ’ ପାଳନ କରାଯାଉଛି। ‘ରାମକଥା ଉଦ୍ୟାନ’ରେ ‘ଶିଳ୍ପ ବଜାର’ ଉଦ୍ଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ। ଉଦ୍ଘାଟନୀ ଦିବସରେ ନାଗପୁରର ପ୍ରସିଦ୍ଧ ଓ୍ଵାତକର୍ ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଶଣ କରିବେ। ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଶଣ କରିବା ବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ। ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଶଣ କରିବେ। ଦୀପୋତ୍ସବ ଅବସରରେ ଅଯୋଧ୍ୟାର ଗଳିପ୍ରଗଳିରେ ଥିବା ସମସ୍ତ ମନ୍ଦିରରେ ଦୀପାଳି ଜଳିବ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….