Report Card Odisha

| Daily Odia News

୨୨ରେ ଲିଙ୍ଗରାଜଙ୍କ ମହା ଶିବରାତ୍ରି ପ୍ରସ୍ତୁତି ସମନ୍ୱୟ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୨ତାରିଖରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ସମନ୍ୱୟ ବୈଠକ । ସର୍କିଟ ହାଉସରେ ଆୟୋଜନ ହେବାକୁ ଥିବା ଏହି ବୈଠକରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୁର୍ଣ୍ଣ ବିଷୟ ଆଲୋଚନା କରାଯିବ । ଶାନ୍ତି ଶୃଙ୍ଖଳା ଓ ତ୍ରୁଟିହୀନ ନୀତିକାନ୍ତି ରହିବ ପ୍ରମୁଖ ପ୍ରସଙ୍ଗ । ଏହା ସହିତ କୋଭିଡ କଟକଣା ଓ ଅନୁପାଳନକୁ ମଧ୍ୟ ପ୍ରାଥମିକତା ଦିଆଯିବ । ଆଲୋଚନାରେ ପୋଲିସ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ୱାଟକୋ, ବିଏମ୍‌ସି, ସ୍ୱେଚ୍ଛାସେବୀ ସଂସ୍ଥା, ରେଡକ୍ରସ, ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକ, ଟ୍ରଷ୍ଟବୋର୍ଡ ସଦସ୍ୟ ଓ ମନ୍ଦିର ପ୍ରଶାସନ ବିଭାଗ ଅଧିକାରୀ ଉପସ୍ଥିତ ରହିବେ । ଏହି ସମସ୍ତ ବିଭାଗକୁ ଯାତ୍ରା ସୁପରିଚାଳନା ପାଇଁ ବିଭାଗୀୟ ଦାୟିତ୍ୱ ହସ୍ତାନ୍ତର କରାଯିବ । ଉଲ୍ଲେଖ ଥାଉକି, ପୂର୍ବ ପ୍ରସ୍ତୁତି ବୈଠକରେ ପୁରୁଣା ନୀତିକାନ୍ତି ସମୟ ଉପରେ ଜିଲ୍ଲା ଓ ମନ୍ଦିର ପ୍ରଶାସନ ମୋହର ମାରିଛି । ସେହିପରି ମହାଦୀପ ମଧ୍ୟ ରାତି ୧୦ଟାରେ ଉଠିବା ନିର୍ଦ୍ଧାରଣ କରା ଯାଇଥିଲା । ସେହିପରି ଏସ୍‌ଆରସିଙ୍କ ନାଇଟ କର୍ଫ୍ୟୁ ଉଠାଇବା ଓ ମୁଖ୍ୟମନ୍ତ୍ରୀଙ୍କ ଜାଗରରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ଅନୁମତି ଘୋଷଣା ଭକ୍ତଙ୍କ ମନରେ ଆନନ୍ଦ ଭରି ଦେଇଛି । ତେଣୁ ପୂର୍ବ ୨ବର୍ଷ ଅପେକ୍ଷା ଚଳିତ ବର୍ଷ ଜାଗରରେ ଭକ୍ତ ସସମାଗମ ବଢିପାରେ । ଏବେ ଜାଗରକୁ ଆଉ ମାତ୍ର ୧୦ ଦିନ ବାକି ରହିଲା । ଏତେ କମ୍‌ ସମୟ ମଧ୍ୟରେ ସମସ୍ତ ପ୍ରସ୍ତୁତିକୁ ଠିକ୍‌ ଭାବେ ସମ୍ପାଦନ କରିବା ଏକ ଆହ୍ୱାନ । ଚଳିତ ବର୍ଷ ଏହି ଅନ୍ତିମ ବୈଠକ କିଛିଦିନ ବିଳମ୍ବରେ ବସୁଛି । ଫଳରେ ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Breaking News