ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓମ୍ଫେଡ ଘିଅରେ ଶ୍ରୀଲିଙ୍ଗରାଜଙ୍କ କୋଠ ଭୋଗ ରନ୍ଧାହେବ | ମନ୍ଦିରକୁ ପାନ, ଗୁଟ୍ଖା ସେବନକାରୀଙ୍କୁ ପ୍ରବେଶ ନିଷେଧ ସହିତ ପଲିଥିନ୍ ଓ ପ୍ଲାଷ୍ଟିକକୁ ବାରଣ କରାଯାଇଛି। ନୂଆବର୍ଷରୁ ଏହି ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ଏହି ନିୟମକୁ ଟ୍ରଷ୍ଟ ବୋର୍ଡ ବୈଠକରେ ଅନୁମତି ପରେ ମନ୍ଦିର ସେବାୟତ ମୁଖ୍ୟଙ୍କୁ ଚିଠି କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷ ରୁଦ୍ରନାରାୟଣ ମହାନ୍ତି ଏହି ଚିଠି ସେବାୟତଙ୍କୁ ପ୍ରେରଣ କରିଛନ୍ତି। କେବଳ କୋଠ ଭୋଗ କାହିଁକି ସବୁ ଭୋଗରେ ଶୁଦ୍ଧ ଭଲଘିଅ ତଥା ଓମ୍ଫେଡ ଘିଅ ବ୍ୟବହାର କରିବା ଲାଗି ନିୟମ କରିବାକୁ ସେବାୟତମାନେ ଦାବି କରିଛନ୍ତି। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ଯଦି କୋଠ ଭୋଗ ରୋଷେଇ ପାଇଁ ଶୁଦ୍ଧ ଘିଅ ବ୍ୟବହାର ପାଇଁ ନିୟମ ହୋଇଛି ତେବେ ଦୀପ ଜାଳିବା ପାଇଁ ପୁରୀ ଶ୍ରୀମନ୍ଦିର ପରି ବିଶୁଦ୍ଧ ଘିଅ କିମ୍ବା ଓମ୍ଫେଡ ଘିଅ ଜାଳିବା ପାଇଁ କାହିଁ ନିୟମ କରାଯାଉନାହିଁ। ଏଥିପାଇଁ ପ୍ରଶାସନ କାହିଁ ପଦକ୍ଷେପ ନେଉନାହିଁ। ସେବାୟତ ଗୋପାଳ ମକଦ୍ଦମ କହିଛନ୍ତି ମନ୍ଦିର ପ୍ରଶାସନ କେବଳ କୋଠ ଭୋଗ ପାଇଁ ଏହି ନିୟମ ଲାଗୁ କରିଛନ୍ତି। ମନ୍ଦିରକୁ ଶହ ଶହ ଭକ୍ତ ପ୍ରସାଦ ପାଇବାକୁ ଆସୁଛନ୍ତି। ଉକ୍ତ ଅବଢ଼ା ଶୁଦ୍ଧ ଭଲଘିଅ ତଥା ଓମ୍ଫେଡ ଘିଅରେ ପ୍ରସ୍ତୁତ କରିବାକୁ ନିୟମ ହେବା ଉଚିତ।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..