ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ଏବେ ଲିଭ୍ ଇନ୍ ରିଲେସନସିପ୍ ଭଳି ଆଧୁନିକ ସମ୍ପର୍କକୁ ମିଳିବ ସ୍ଵୀକୃତି। ଏଥର ଜନଗଣନାରେ ଲିଭ୍ ଇନ୍ କପୁଲଙ୍କୁ ନେଇ ନୂଆ ନିୟମ। ଲିଭ୍ ଇନ୍ ଦମ୍ପତ୍ତି ଏବେ ବିବାହିତ ଲିଷ୍ଟରେ ସାମିଲ ହେବେ। ସମାନ ପରିବାରରେ ଏକାଠି ରହୁଥିବା ଲିଭ୍ ଇନ୍ ଦମ୍ପତ୍ତି ମାନଙ୍କୁ ଏହି ଜନଗଣନାରେ ବିବାହିତ ବୋଲି ବିବେଚନା କରାଯିବ। ଜନଗଣନା ପୋର୍ଟାଲରେ ଏହା ସ୍ପଷ୍ଟ କରାଯାଇଛି। ସରକାରଙ୍କ ଅନୁଯାୟୀ ଯଦି ଲିଭ୍ ଇନରେ ରହୁଥିବା ପୁରୁଷ ଓ ମହିଳା ସେମାନଙ୍କର ସମ୍ପର୍କକୁ ଏକ ସ୍ଥିର ସମ୍ପର୍କ ବୋଲି ବିବେଚନା କରନ୍ତି। ତେବେ ଜନଗଣନା ସମୟରେ ହେଉ କିମ୍ବା ଜଣେ ଗଣକ ପରିବାରକୁ ଗସ୍ତ କରିବା ସମୟରେ ହେଉ ସେମାନଙ୍କୁ ଜଣେ ବିବାହିତ ଦମ୍ପତ୍ତି ଭାବେ ରେକର୍ଡ କରାଯିବ। ଅଧିକାରୀମାନେ କହିଛନ୍ତି ପୂର୍ବ ଜନଗଣନା ସମୟରେ ମଧ୍ୟ ନିଜକୁ ବିବାହିତ ବୋଲି ଘୋଷଣା କରିଥିବା ଅବିବାହିତ ଦମ୍ପତ୍ତି ମାନଙ୍କୁ ସମାନ ଭାବେ ରେକର୍ଡ କରାଯାଇଥିଲା। ସମାଜର ପରିବର୍ତ୍ତିତ ଗଠନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟ୍ ଆଇଡି ସଂଶୋଧନ ଆଇନ୍ ଆଜିଠୁ ସେପ୍ଟେମ୍ବର ୩୦ ମଧ୍ୟରେ ୪୫ ଦିନ ପାଇଁ ଚାଲିବ। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ଵାରା ପୃଥକ ଭାବେ ତାରିଖ ସୂଚିତ କରାଯିବ। ପ୍ରଥମ ୧୫ ଦିନ ସ୍ଵୟଂ ଗଣନା ପାଇଁ ହେବ। ତାପରେ ଗଣନାକାରୀଙ୍କ ଦ୍ଵାରା କ୍ଷେତ୍ର ପରିଦର୍ଶନ ପାଇଁ ୩୦ ଦିନର ଅବଧି ରହିବ। କେତେକ ପାରମ୍ପରିକ ମତ ଧାରଣକାରୀ ଲୋକ ସରକାରଙ୍କର ଏହି ପଦକ୍ଷେପକୁ ପାରମ୍ପରିକ ବିବାହ ପ୍ରଥା ପ୍ରତି ଏକ ଚ୍ୟାଲେଞ୍ଜ ବୋଲି ଦେଖୁଛନ୍ତି। ଅନ୍ୟପକ୍ଷରେ ଯୁବପିଢି ଏବଂ ନାଗରିକ ଅଧିକାରକର୍ମୀମାନେ ଏହାକୁ ବ୍ୟକ୍ତିଗତ ସ୍ଵାଧୀନତା ଏବଂ ସମ୍ପର୍କର ଆଧୁନିକ ରୂପକୁ ସ୍ଵୀକୃତି ଦେବାର ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରୁଛନ୍ତି। ଜନଗଣନା ସମୟରେ ଦିଆଯାଇଥିବା ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଆରଟିଆଇ ତଥ୍ୟରେ ମଧ୍ୟ ସାର୍ବଜନୀନ କରାଯିବନାହିଁ। ଧାରା ୧୫ ଅନୁସାରେ ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ। ଏହି ତଥ୍ୟକୁ କୋର୍ଟରେ ପ୍ରମାଣ ଭାବରେ ମଧ୍ୟ ଉପସ୍ଥାପନ କରାଯାଇପାରିବନାହିଁ। ଏ ନେଇ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନଗଣନା କମିଶନର ସୂଚନା ଦେଇଛନ୍ତି। ସେହିପରି ଜନଗଣନା ଅଧିକାରୀ ମାନଙ୍କୁ ଏକ କଠୋର ଚେତାବନୀ ଦେଇଛନ୍ତି। ତଥ୍ୟର ଅବହେଳା କିମ୍ବା ଅପବ୍ୟବହାର ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରିବା କିମ୍ବା ନାଗରିକ ମାନଙ୍କୁ ଜାଣିଶୁଣି ଅପମାନଜନକ କିମ୍ବା ଅନୁପଯୁକ୍ତ ପ୍ରଶ୍ନ ପଚାରିବା ଅପରାଧ ଭାବେ ଧରାଯିବ। ଏପରି ଉଲଂଘନ ଜନଗଣନା ଆଇନ୍ ୧୯୪୮ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏହାର ଫଳସ୍ଵରୂପ ଜରିମାନା ଏବଂ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..
ଆଜିଠାରୁ ଜନଗଣନା…..