Report Card Odisha

| Daily Odia News

ନିଟ୍ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା, ସୋମବାର ଯାଏ ମୁଲତବୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିଟ୍ ପ୍ରଶ୍ନପତ୍ର ସ୍କାମ କୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ। ଆଜି ନିଟ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ଶୁକ୍ରବାର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ବିରୋଧୀମାନେ ନିଟ ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍ ପ୍ରସଙ୍ଗ ଉଠାଇଥିଲେ। ବିରୋଧୀ ସଦସ୍ୟଙ୍କ ସହିତ ମିଶି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଥିଲେ। ବାଚସ୍ପତି ଓମ ବିର୍ଲା କିନ୍ତୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ କହିଥିଲେ। ହେଲେ ରାହୁଲ କହିଥିଲେ, ଆମେ ବିରୋଧୀ ଏବଂ ସରକାରଙ୍କ ତରଫରୁ ଭାରତର ଛାତ୍ରଛାତ୍ରୀମାନଙ୍କୁ ଏକ ମିଳିତ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଆମେ ଏହି ପ୍ରସଙ୍ଗକୁ ଜରୁରୀ ମନେ କରୁଛୁ। ତେଣୁ ଆମେ ଚିନ୍ତା କରୁଛୁ ଯେ ଛାତ୍ରଛାତ୍ରୀଙ୍କ ସମ୍ମାନ ପାଇଁ ଆଜି ନିଟ୍‌ ପ୍ରସଙ୍ଗରେ ଆଲୋଚନା କରିବା । ମାତ୍ର ବାଚସ୍ପତି ନ ଶୁଣିବାରୁ ବିରୋଧୀ ସଦସ୍ୟମାନେ ଗୃହରେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଫଳରେ ବାଚସ୍ପତି ଆସନ୍ତା ସୋମବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଦୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଯାହାକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ବିରୋଧୀଙ୍କ ଏପରି ବ୍ୟବହାରକୁ ନାପସନ୍ଦ କରିବା ସହିତ ନିନ୍ଦା କରିଥିଲେ। ପରେ ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଏବଂ ପରେ ଅନୁରୂପ ସମସ୍ୟା ଯୋଗୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

Breaking News