ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଆଜି ତାହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବ। ତାର ୪୮ ଘଣ୍ଟା ମଧ୍ୟରେ ତାହା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏବେ ଧାନ ଅମଳ ସମୟ ଚାଲିଥିବା ବେଳେ ଭୟ ବଢାଇଛି ସମ୍ଭାବ୍ୟ ବାତ୍ୟା । ତେବେ ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ପାଇଁ କୌଣସି ସତର୍କତା ଜାରି ହୋଇନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। IMD GFS ବା ଗ୍ଲୋବାଲ ଫରକାଷ୍ଟିଂ ସିଷ୍ଟମ ଆଉ ପାଦେ ଆଗକୁ ଯାଇ ବାତ୍ୟା ସୃଷ୍ଟି ହେବା ଏବଂ କେଉଁଠି ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପୂର୍ବାନୁମାନ କରିଛି। ଗ୍ଲୋବାଲ ଫରକାଷ୍ଟିଂ ସିଷ୍ଟମର ଆକଳନ ଅନୁସାରେ, ଲଘୁଚାପ ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ୪ ତାରିଖ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ। ଡିସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି। ତେବେ ଲଘୁଚାପ ଅବପାତରେ ପରିଣତ ହେବା, ଏହାର ଗତି, ଦିଗ ଓ ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ। ବର୍ଷ ଯାକର ପରିଶ୍ରମ କରି ବିଲରେ ସୁନାର ଫସଲ ଫଳାଇଛି ଚାଷୀ। ଏଭଳି ସ୍ଥିତିରେ ଯଦି ବାତ୍ୟା ଆସେ, ତେବେ ଉଜୁଡିଯିବ ଚାଷୀର ଭବିଷ୍ୟତ। ବାତ୍ୟାକୁ ନେଇ ଚାଷୀଙ୍କ ମଧ୍ୟରେ ଛନକା ପଶିଛି।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..