Report Card Odisha

| Daily Odia News

କେଜ୍ରିୱାଲ୍‌ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌କୁ ଲାଗିଲା ବଡ଼ ଧରଣର ଝଟ୍‌କା। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲ୍‌ଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ଦେଲେ ଉପ ରାଜ୍ୟପାଳ ଭିକେ ସକ୍ସେନା। ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟକ୍କର ଦେବାକୁ ଆପ୍‌ ଚତୁର୍ଥ ଥର ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ନିର୍ବାଚନର ମାତ୍ର କିଛି ସପ୍ତାହ ପୂର୍ବରୁ ଏପରି ଏକ ଖବର ରାଜନୀତିକୁ ସରଗରମ୍‌ କରିଛି। ଜଣାଇ ଦେଉଛୁ ଯେ କେଜ୍ରିୱାଲ୍‌ଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ଇଡି ଡିସେମ୍ବର ୫ ତାରିଖରେ ଦିଲ୍ଲୀର ମୁଖ୍ୟ ସଚିବ ଓ ମୁଖ୍ୟ ସତର୍କତା ଅଧିକାରୀଙ୍କୁ ଏକ ପତ୍ର ଲେଖିଥିଲା। ଏହି ପତ୍ରର ଜବାବରେ ଦିଲ୍ଲୀର ଉପ ରାଜ୍ୟପାଳ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଳୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ପ୍ରଥମେ ୨୦୨୪ ମସିହା ମାର୍ଚ୍ଚ ୨୧ ରେ ଗିରଫ କରାଯାଇଥିଲା। ଜୁନ୍ ୨୬ ରେ ସେ ଇଡି ହେପାଜତରେ ଥିବାବେଳେ ତାଙ୍କୁ ସିବିଆଇ ଗିରଫ କରିଥିଲା। ସପ୍ତାହ ପରେ, ଜୁଲାଇ ୧୨ ତାରିଖରେ କେଜ୍ରିୱାଲଙ୍କୁ ଇଡି ମାମଲାରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତେବେ ସିବିଆଇ ଗିରଫଦାରୀ ହେତୁ ସେ ତିହାର ଜେଲରେ ରହିଥିଲେ। ତାପରେ ତାଙ୍କୁ ପରବର୍ତ୍ତୀ ସମୟରେ ଜାମିନ ମିଳିଥିଲା।

Breaking News