ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଥୁରାରେ ମଦ ଓ ମାଂସ କାରବାର ଉପରେ ସମ୍ପୂର୍ଣ ପ୍ରତିବନ୍ଧ ଲଗାଇଲେ ଉତ୍ତରପ୍ରଦେଶ ସରକାର । ମଦ ଏବଂ ମାଂସ କାରବାର କରୁଥିବା ବ୍ୟବସାୟୀଙ୍କୁ ଅନ୍ୟ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବେ ପାଇଁ ଅନୁରୋଧ କରିବା ସହ ସେମାନଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏପରି ଘୋଷାଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହ ସେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସେ ଭଗବାନ୍ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଯୋଗୀ କହିଛନ୍ତି, ଚାରି ବର୍ଷ ପୂର୍ବେ ୨୦୧୭ରେ ଲୋକଙ୍କ ଚାହିଦା ଅନୁଯାୟୀ ମଥୁରା ଏବଂ ଶ୍ରୀମନ୍ଦିର ନଗର ପାଳିକାକୁ ମିଶାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଗଠନ କରାଯାଇଥିଲା । ଏହାପରେ ସେଠାରେ ଥିବା ପବିତ୍ର ସ୍ଥାନକୁ ତୀର୍ଥସ୍ଥଳ ଘୋଷଣା କରିଥିଲେ ରାଜ୍ୟ ସରକାର । ବର୍ତ୍ତମାନ ଜନସାଧାରଣ ଚାହୁଁଛନ୍ତି ଏହି ପବିତ୍ର ସ୍ଥାନରେ ମଦ ଏବଂ ମାଂସ ବିକ୍ରି କରାଯିବା ଉଚିତ୍ ନୁହେଁ । ଆଉ ଲୋକଙ୍କ ଇଚ୍ଛା ନିଶ୍ଚୟ ପୂରଣ ହେବ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଯୋଗୀ ଆଦିତ୍ୟନାଥ ଜିଲ୍ଲା ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । “ଯେଉଁମାନେ ଏହି କାରବାର ସହିତ ଜଡିତ ଅଛନ୍ତି, ସେମାନଙ୍କୁ ଅନ୍ୟ କାମର ତାଲିମ ଦେଇ ପୁନଃ ଥଇଥାନ କରାଯିବ । ବ୍ରଜ ଭୂମିର ବିକାଶ ଦିଗରେ ଅନେକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଦେଶ ସ୍ୱାଧୀନ ହେବା ପରେ ରାମନାଥ କୋବିନ୍ଦ ହେଉଛନ୍ତି ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସେହିଭଳି ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ଏହା ସହ ଯୋଗୀ ଆଦିତ୍ୟନାଥ କହିଛନ୍ତି ମୋଦିଙ୍କ ନେତୃତ୍ୱରେ ବର୍ତ୍ତମାନ ନୂଆ ଭାରତରେ ଏକ ବଡ ପରିବର୍ତ୍ତନ ଆସିଛି। ଏହି କାରଣରୁ ଯେଉଁମାନେ ପୂର୍ବରୁ ମନ୍ଦିର ଯିବାକୁ ଦ୍ୱିଧା କରୁଥିଲେ, ସେମାନେ ବର୍ତ୍ତମାନ କହୁଛନ୍ତି ପ୍ରଭୁ ଶ୍ରୀରାମ ଆମର, କୃଷ୍ଣ ମଧ୍ୟ ଆମର । ଏହା ହିଁ ହେଉଛି ପରିବର୍ତ୍ତନ। ଭାଇଚାରର ଭାବ ସୃଷ୍ଟି ହୋଇଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..