ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗରେ ବିଜେପି ପୁଣି ଝଟକା | ନିର୍ବାଚନ ପୂର୍ବରୁ ଯେଉଁସବୁ ନେତା ବିଧାୟକ ଟିଏମସି ଛାଡି ବିଜେପିରେ ମିଶିଥିଲେ ଏବେ ସେମାନଙ୍କର ଘର ବାହୁଡା ପର୍ବ ଜାରି ରହିଛି। ମଙ୍ଗଳବାର ବିଜେପିର ବିଧାୟକ ବିଶ୍ଵଜିତ୍ ଦାସ ଟିଏମସିରେ ଯୋଗ ଦେଇଛନ୍ତି। ଏହା ବ୍ୟତୀତ କର୍ପୋରେଟର ମୋନୋତେଷ ଦାସ ମଧ୍ୟ ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସୋମବାର ତନ୍ମୟ ଘୋଷ ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିଲେ। ସେ ବିଷ୍ଣୁପୁର ଆସନରୁ ବିଧାୟକ ଥିଲେ। ତନ୍ମୟ ଘୋଷଙ୍କ ପରି ବିଶ୍ଵଜିତ୍ ଦାସ ମଧ୍ୟ ପୂର୍ବେ ଟିଏମସିରେ ଥିଲେ। ଦାସ କହିଛନ୍ତି, ମୁଁ ବିଜେପି ଯାଇ ବଡ ଭୁଲ୍ କରିଥିଲି ଏବଂ ଦଳକୁ ଫେରିବାକୁ ଚାହୁଁଥିଲି। ଟିଏମସି ଟିକେଟରୁ ଦୁଇ ଥର ବିଧାୟକ ହୋଇଥିବା ବିଶ୍ଵଜିତ୍ ଦାସ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। ସେ ମୁକୁଲ ରାୟଙ୍କ ସହିତ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ ଶାନ୍ତନୁ ଠାକୁରଙ୍କ ସହ ତାଙ୍କର ସର୍ବଦା ମତାନ୍ତର ଜାରି ରହିଥିଲା। କୁହାଯାଉଛି ମୁକୁଲ ରାୟ ପୁଣି ଥରେ ଟିଏମସି ଫେରିବା ପରେ ଦାସ ବିଜେପି ଛାଡିବାକୁ ମନସ୍ଥ କରିଥିଲେ। ଏହା ବ୍ୟତୀତ ସେ ବୋନଗାଓଁ ଆସନରୁ ବିଧାୟକ ହେବାକୁ ଚାହୁଁଥିଲେ। କିନ୍ତୁ ବିଜେପି ତାଙ୍କୁ ବାଗଡାରୁ ଲଢିବାକୁ କହିଥିଲା। ସେ ଉକ୍ତ ଆସନରୁ ଜିତିଥିଲେ ମଧ୍ୟ ଖୁସି ନଥିଲେ। ଜଣେ ପରେ ଜଣେ ବିଧାୟକ ଛାଡିବା ପରେ ବିଜେପିରେ ଏବେ ବିଧାୟକ ସଂଖ୍ୟା ୭୨କୁ ହ୍ରାସ ହୋଇଛି। ବିଧାନସଭା ନିର୍ବାଚନରେ ବିଜେପି ୭୭ ଆସନରେ ବିଜୟୀ ହୋଇଥିଲା। ହେଲେ ଫଳାଫଳ ପରଠୁ ହିଁ ଯେତେସବୁ ଟିଏମସି ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଜେପି ପ୍ରତି ଅସନ୍ତୋଷ ବ୍ୟକ୍ତି କରି ଟିଏମସିରେ ଯୋଗ ଦେବାରୋ ଲାଗିଛନ୍ତି।
Discussion about this post