Report Card Odisha

| Daily Odia News

ଶାରଦୀୟ ପୂଜାର ଆଜି ମହାଷଷ୍ଠୀ,ଶକ୍ତି ପୀଠରେ ଚାଲିଛି ମା’ଙ୍କ ପୂଜା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା ।ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ଧରାପୃଷ୍ଠ। ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ଏଥିପାଇଁ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ।ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି। ଅନ୍ୟପଟେ ଆଜି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଦେବୀ ପୀଠରେ ଆରମ୍ଭ ହେଉଛି ଠାକୁରାଣୀଙ୍କ ତ୍ରିଦିନାତ୍ମକ ପୂଜା । ଏଥିସହ ବଡ଼ଦେଉଳରେ ହେବ ମା’ବିମଳାଙ୍କ ମହାସପ୍ତମୀ ପୂଜା । ଏହି ଅବସରରେ ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ । ଏହି ତିନି ଦିନ ଠାକୁରଙ୍କ ରାତ୍ର ପହୁଡ଼ ପରେ ପଶ୍ଚିମଦ୍ୱାର ଦେଇ ସଙ୍ଖୁଡ଼ି ଭୋଗ ଦ୍ରବ୍ୟାଦି ଶ୍ରୀମନ୍ଦିରକୁ ପ୍ରବେଶ କରିବ । ଏଥିସହ ଦେବୀ ପୀଠରେ ମଧ୍ୟ ପୂଜକ ଓ କମିଟି କର୍ମକର୍ତ୍ତା ମିଶି ମା’ଙ୍କ ସ୍ୱତନ୍ତ୍ର ତିନି ପୂଜା ପାଇଁ ପ୍ରସ୍ତୁତି ସାରିଛନ୍ତି । ମନ୍ଦିର ସମ୍ମୁଖରେ ତୋରଣ ବନ୍ଧାହୋଇ ଠାକୁରାଣୀଙ୍କ ପୂଜାର୍ଚ୍ଚନାରେ ଭକ୍ତଙ୍କ ଯୋଗଦାନ ପାଇଁ ପରିଚାଳନାକାରୀ ବ୍ୟବସ୍ଥା କରିଛନ୍ତି । ଶ୍ରୀମନ୍ଦିରକୁ ଆମିଷ ପ୍ରବେଶ ପ୍ରସଙ୍ଗ ହୁଏତ ଅଧିକାଂଶଙ୍କୁ ଜଣାନଥିବ । କିଛି ବିଶେଷ ବିଧିରେ ଶ୍ରୀମନ୍ଦିରକୁ ଆମିଷ ଯାଇଥାଏ । ଶ୍ରୀକ୍ଷେତ୍ରାଧିଶ୍ୱରୀ ମା’ବିମଳାଙ୍କ ଷୋଳ ପୂଜା ଅବସରରେ ତ୍ରିଦିନାତ୍ମକ ପୂଜାରେ ଆମିଷ (ମାଛ) ଭୋଗ ଲାଗିବ । ବଡ଼ଦେଉଳରେ ପ୍ରଚଳିତ ଭାଷାରେ ଖଟୁଆ ଯୋଗାଉଥିବା ଏହି ମାଛକୁ କୁହାଯାଏ ‘ଖଟୁଆ ନିତିଆନି’ । ମହାପ୍ରଭୁଙ୍କ ପହୁଡ଼ ପରେ ଶ୍ରୀମନ୍ଦିର ଶୋଧ ହୋଇ ବିଳମ୍ବିତ ରାତିରେ ମା’ବିମଳାଙ୍କ ଏହି ସ୍ୱତନ୍ତ୍ର ନୀତି ହୋଇଥାଏ । ଏଥିସହ ପୂଜା ତିନି ଦିନ ଭଣ୍ଡାରଘର ଆୟୁଧ ପୂଜାରେ ବସିଥାନ୍ତି । ଏଥିସହ ପୀଠରେ ପାଳନ ହେବ ବଳି ବିଧି । ମହାଷ୍ଟମୀ ଓ ମହାନବମୀରେ ଅନୁରୂପ ପୂଜା ହେବ । ଗୁପ୍ତ ଗୁଣ୍ଡିଚା ବିଧିବିଧାନ ଅନୁସାରେ ଦୁର୍ଗା-ମାଧବ ଏକତ୍ର ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରରେ ବିଜେ ହେବେ । ଗୁରୁବାର ମହାଷ୍ଟମୀ, ଶୁକ୍ରବାର ମହାନବମୀ, ଶନିବାର ବିଶ୍ରାମ ପରେ ରବିବାର ଶ୍ରୀମନ୍ଦିରରେ ମା’ବିମଳାଙ୍କ ଦଶହରା ପୂଜା ହେବ ।

Breaking News