ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀଙ୍କୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ଦେଶୀଗାଈ କ୍ଷୀରରେ ପ୍ରସ୍ତୁତ ଚା’ ଭାରି ସୁଆଦିଆ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।ପ୍ରଶ୍ନକାଳରେ ପ୍ରମିଳା ଦେଶୀଗାଈ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି, ଯେଉଁ ବୈଠକରେ ବାଚସ୍ପତି ମଧ୍ୟ ଉପସ୍ଥିତ ଥିଲେ। ତେଣୁ ସରକାର ଦେଶୀଗାଈ ବଂଶବୃଦ୍ଧି ପାଇଁ କ’ଣସବୁ ଯୋଜନା ରଖିଛନ୍ତି ତାହା ଗୃହକୁ ଜଣାନ୍ତୁ। ସେ ପୁଣି କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କୁ ସରକାର ଦେଶୀଗାଈ ଯୋଗାଇଦେବେ କି? ଏହାସହିତ ଯେଉଁ ଗୋରୁ ବୁଢ଼ା ହେଉଛନ୍ତି ତାଙ୍କ ସୁରକ୍ଷା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ। ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଦେଶୀଗାଈ ବଂଶ ବୃଦ୍ଧିକୁ ସର୍ୱାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ୧ ଟନ୍ ଦେଶୀଘିଅ ଲଗାଯାଉଛି। ଆଗାମୀ ଦିନରେ ଜାତୀୟସ୍ତର ସହିତ ଓଡ଼ିଶାରେ କିଭଳି ଦୁଗ୍ଧ ଅଧିକ ଉତ୍ପାଦନ ହେବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ।ଅବସରରେ ମୂଳ ପ୍ରଶ୍ନକର୍ତ୍ତା ବିଜେଡି ସଦସ୍ୟ ଅରୁଣ ସାହୁ ଜାତୀୟସ୍ତରରେ ଏବଂ ରାଜ୍ୟରେ ମୁଣ୍ଡ ପିଛା ଦୁଗ୍ଧ ଉତ୍ପାଦନ କେତେ ରହିଛି ତା’ର ତୁଳନାତ୍ମକ ତଥ୍ୟ ମନ୍ତ୍ରୀଙ୍କଠାରୁ ଲୋଡ଼ିଥିଲେ। ଏହାସହିତ ଲକ୍ଷ୍ୟଧାର୍ଯ୍ୟ ପୂରଣ ଲାଗି ସରକାରଙ୍କ କ’ଣସବୁ ଯୋଜନା ରହିଛି ଏବଂ ଅଦ୍ୟାବଧି କେତେଜଣ କୃଷକଙ୍କୁ କେତେ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଉତ୍ତରରେ କହିଛନ୍ତି, ଜାତୀୟସ୍ତରରେ ଦୁଗ୍ଧ ମୁଣ୍ଡ ପିଛା ୩୦୦ ଗ୍ରାମ୍ ଉତ୍ପାଦନ ହେଉଥିବାବେଳେ ରାଜ୍ୟରେ ଏହି ହାର ୧୬୫ ଗ୍ରାମ୍ ରହିଛି। ଗ୍ରାମାଞ୍ଚଳ ଦୁଗ୍ଧଚାଷୀଙ୍କ ବିକାଶ ଲାଗି ସରକାର ବହୁବିଧ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୫,୩୫୪ ହିତାଧିକାରୀଙ୍କୁ ୬୪.୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ୯୬ ହଜାର ଲିଟର ଦୁଗ୍ଧ ଉତ୍ପାଦନ ବଢ଼ିଛି ବୋଲି ମନ୍ତ୍ରୀ କହିଥିଲେ।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..