ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ଦଙ୍ଗା ପୀଡ଼ିତ ପରଭାଣୀ ଠାରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପହଞ୍ଚିଛନ୍ତି। ସେଠାରେ ହାଜତରେ ମୃତ୍ୟୁ ଘଟିଥିବା ଦଳିତ ଅଧିକାର କର୍ମୀ ସୋମନାଥ ସୂର୍ଯ୍ୟବଂଶୀଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି। ଆଜି ପୂର୍ବାହ୍ଣରେ ରାହୁଲ ନାଣ୍ଡେଡ୍ ବିମାନବନ୍ଦରରେ ପହଞ୍ଚି ସେଠାରୁ ପରଭାଣୀ ଯାଇଥିଲେ। ପରଭାଣୀରେ ସମ୍ବିଧାନର ପ୍ରତିଲିପି ଚିରାକୁ ନେଇ ସୃଷ୍ଟ ଦଙ୍ଗାରେ ଗିରଫ ହୋଇଥିବା ଦଳିତ ଅଧିକାର କର୍ମୀ ସୋମନାଥ ସୂର୍ଯ୍ୟବଂଶୀଙ୍କ ପରିବାରକୁ ଭେଟିଥିଲେ। ରାହୁଲ କହିଛନ୍ତି ଏହା ଏକ ହାଜତମୃତ୍ୟୁ। ପୁଲିସ ତାଙ୍କୁ ହତ୍ୟା କରିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମିଛ କହିଛନ୍ତି। ସୋମନାଥଙ୍କୁ ହତ୍ୟା କରାଗଲା, କାରଣ ସେ ଜଣେ ଦଳିତ ଓ ସମ୍ବିଧାନର ସୁରକ୍ଷା କରିଥିଲେ। ଆର୍ଏସ୍ଏସ୍ ବିଚାରଧାରା ସମ୍ବିଧାନକୁ ଶେଷ କରିଦେବ। ଏହି ଘଟଣାର ତଦନ୍ତ ଦାବି କରୁଛୁ, ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡବିଧାନ କରାଯିବା ଆବଶ୍ୟକ। ସୂଚନାଯୋଗ୍ୟ, ଡିସେମ୍ବର ୧୦ରେ ପରଭାଣୀରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଦଙ୍ଗାରେ ପୁଲିସ ୩୦୦ଲୋକଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ସୋମନାଥ ଥିଲେ। ବିଚାର ବିଭାଗୀୟ ହାଜତରେ ଥିବା ସମୟରେ ସୋମନାଥଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ପୀଡ଼ିତଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯାଇଥିବା ଘୋଷଣା କରିଛନ୍ତି। ତେବେ ହାଜତ ମୃତ୍ୟୁ କଥାକୁ ଅସ୍ବୀକାର କରି ମୁଖ୍ୟମନ୍ତ୍ରୀ ଫଡ଼ନାବିସ କହିଛନ୍ତି, ସୋମନାଥଙ୍କୁ କୋର୍ଟରେ ହାଜର କରାଯିବା ବେଳେ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ହାଜତ ନିର୍ଯାତନାର ଶିକାର ହୋଇନାହାନ୍ତି ବୋଲି କହିଥିଲେ। ବିଏସ୍ପି ସୁପ୍ରିମୋ ମାୟାବତୀ ଏହି ଘଟଣାରେ କଂଗ୍ରେସକୁ ସମାଲୋଚନା କରିଛନ୍ତି।
More Stories
କଂଗ୍ରେସକୁ ଜବାବ ଦେଲେ ନିର୍ବାଚନ କମିସନ…..
ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ…..
ହିମାଚଳପ୍ରଦେଶରେ ବରଫ ବର୍ଷା,ଫସିଲେ ପର୍ଯ୍ୟଟକ….