ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ-ହରିୟାଣା ସୀମାନ୍ତବର୍ତ୍ତୀ ଟିକ୍ରି-ବାହାଦୂରଗଡ଼ ସୀମାରେ କୃଷକ ପ୍ରତିବାଦସ୍ଥଳ ନିକଟରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍ ଡିଭାଇଡର୍ ଉପରକୁ ମାଡ଼ିଯିବାରୁ ୩ଜଣ ମହିଳା ଚାଷୀଙ୍କର ମୃତ୍ୟୁ ଘଟିଛି।ଆଜି ଭୋର୍ ସମୟରେ ମନସା ଯିବା ଲାଗି ଟ୍ରେନ୍ ଧରିବାକୁ ବାହାଦୁରଗଡ଼ ଷ୍ଟେସନ୍ରେ ପହଞ୍ଚିବା ପାଇଁ ଅଟୋରିକ୍ସାକୁ ଅପେକ୍ଷା କରି ମହିଳା ଚାଷୀମାନେ ଝାଜ୍ଜର୍ ରୋଡ୍ ‘ଡିଭାଇଡର୍’ ଉପରେ ବସିଥିଲେ। ଟ୍ରକ୍ ଚାପା ହେତୁ ଘଟଣାସ୍ଥଳରେ ଦୁଇଜଣ ମହିଳା ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ମୃତା ମହିଳା ଚାଷୀମାନେ ପଞ୍ଜାବ ଅନ୍ତର୍ଗତ ମାନସା ଜିଲ୍ଲାର ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି। ଗତ ଅଳ୍ପ କିଛି ଦିନ ହେବ କୃଷକ ପ୍ରତିବାଦରେ ଅଂଶ ଗ୍ରହଣ କରିଥିବା ଉକ୍ତ ମହିଳାମାନେ ହେଉଛନ୍ତି ଛନ୍ଦର୍ କୌର୍, ଅମର୍ଜିତ୍ କୌର୍ ଏବଂ ଗୁରମେଲ୍ କୌର୍। ଉକ୍ତ ଦୁର୍ଘଟଣାରେ ଅନ୍ୟ ଦୁଇଜଣ ମହିଳା ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ରୋହତକ୍ସ୍ଥିତ ‘ପିଜିଆଇ’କୁ ରେଫର୍ କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଖସି ପଳାଇଛି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଥିବା କଥା ସେକ୍ଟର୍ ୬ସ୍ଥିତ ବାହାଦୁରଗଡ଼ ଥାନାର ‘ଏସ୍ଏଚ୍ଓ’ ନର ସିଂହ କହିଛନ୍ତି।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..