ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଜନତା ମଇଦାନଠାରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିସାରିଛନ୍ତି | ଏହି ଅବସରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ବୃହତ୍ ସଫଳତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶାର ଶିଳ୍ପାୟନ ଅଭିବୃଦ୍ଧି କାହାଣୀରେ ମେକ୍ ଇନ୍ ଓଡ଼ିଶା-୨୦୨୨ କିପରି ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ହେବ, ତାହା ସୁନିଶ୍ଚିତ କରିବାକୁ ସେ ବିଭାଗଗୁଡ଼ିକୁ ଆହ୍ବାନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ନିକଟରେ ପ୍ରକାଶିତ ଇଜ୍ ଅଫ୍ ଡୁଇଁ ବିଜିନେସ ରେଟିଂରେ ଓଡ଼ିଶା ‘ଆଚିଭର’ ମାନ୍ୟତା ହାସଲ କରିଛି। ଆମ ରାଜ୍ୟର ଅଭିବୃଦ୍ଧି କାହାଣୀ ଏବଂ ନିବେଶକଙ୍କ ପାଇଁ ରହିଥିବା ସୁବିଧା ଆଦି ପ୍ରଦର୍ଶିତ କରିବାକୁ ଏହି କନକ୍ଲେଭ ଏକ ମଞ୍ଚ। ବିଭିନ୍ନ ଶିଳ୍ପ କ୍ଷେତ୍ରର ଦୃଷ୍ଟିକୋଣ ଉପରେ ଆଲୋଚନା ପାଇଁ ଶିଳ୍ପ ନେତୃବୃନ୍ଦଙ୍କ ନିମନ୍ତେ ଏହା ଏକ ସୁଯୋଗ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ପୂର୍ବରୁ ଆୟୋଜିତ ଦୁଇଟି କନକ୍ଲେଭ ତୁଳନାରେ ଏ ବର୍ଷର କାର୍ଯ୍ୟକ୍ରମକୁ ଅଧିକ ଉନ୍ନତ କରିବା ପାଇଁ ଆମକୁ ଆଗାମୀ ୩୦ ଦିନ ଭିତରେ ସବୁ ପ୍ରକାର ଉଦ୍ୟମ କରିବାକୁ ହେବ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ, ଏହି ୫ଦିନିଆ କାର୍ଯ୍ୟକ୍ରମରେ ୩ଟି କନକ୍ଲେଭ ସହ ୨୦ ଅଧିବେଶନ ହେବ। ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ। ରାଜ୍ୟ ସରକାର ୧୦ଟି ରୋଡ୍ ସୋ’ କରିସାରିଥିବାବେଳେ ଦୁବାଇ, ମୁମ୍ବଇ, ନୂଆଦିଲ୍ଲୀ, ହାଇଦରାବାଦ ଏବଂ ବେଙ୍ଗାଲୁରୁ ଆଦି ୫ଟି ସହରରେ ମୁଖ୍ୟମନ୍ତ୍ରୀ ନେତୃତ୍ବ ନେଇଥିଲେ। ଉଲ୍ଳେଖଯୋଗ୍ୟ ଯେ ମେକ୍ ଇନ ଓଡ଼ିଶା କନକ୍ଳେଭ୍-୨୦୨୨ ସମ୍ପର୍କିତ ସମସ୍ତ ତଥ୍ୟର ଭଣ୍ଡାର ହେଉଛି ମେକ୍ ଇନ୍ ଓଡ଼ିଶା ପୋର୍ଟାଲ। ବିଭିନ୍ନ ଅଧିବେଶନ ଏବଂ ବକ୍ତାଙ୍କ ସମ୍ପର୍କରେ ପ୍ରତିନିଧିମାନେ ଏଥିରୁ ଜାଣିପାରିବେ। ଏଥିସହ ସେମାନେ ଏହି କନକ୍ଲେଭ ପାଇଁ ନିଜର ପଞ୍ଜୀକରଣ କରିପାରିବେ। ମୋବାଇଲ ଆପ୍ ଆଣ୍ଡ୍ରଏଡ଼୍, ପ୍ଲେ ଷ୍ଟୋର, ଆପଲ ଆପ୍ ଷ୍ଟୋରର ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଉପଲବ୍ଧ। ୨୦୧୬, ୨୦୧୮ରେ ଆୟୋଜିତ କନକ୍ଲେଭର ସଫଳତା ପରେ ଚଳିତବର୍ଷ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଅନୁଷ୍ଠିତ ହେଉଛି। ୨୦୨୦ରେ କୋଭିଡ୍ କାରଣରୁ ଏହି କନକ୍ଲେଭ ଆୟୋଜନ ସମ୍ଭବପର ହୋଇ ନ ଥିଲା। ଗତ ଦୁଇଟି ସଂସ୍କରଣ ଅପେକ୍ଷା ଏଥର ଅଧିକ ଅଂଶଗ୍ରହଣ ସହ ନିବେଶ ଆସିବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।
More Stories
ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ….
ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ…..
୨୧ରୁ ଖରିଫ ଧାନ କିଣା ଆରମ୍ଭ…..