ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରୁ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବିତ କରାଯିବା ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିଛି। କଂଗ୍ରେସ ସାଂସଦ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ହାତ ଯୋଡ଼ି ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କୁ ମାଇକ ବନ୍ଦ ନ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଅଧୀର ରଞ୍ଜନଙ୍କ ନିଲମ୍ବନ ପ୍ରସଙ୍ଗ ଉଠାଇଥିଲେ। ଶ୍ରୀ ଚୌଧୁରୀଙ୍କୁ ଛୋଟିଆ କାରଣ ପାଇଁ ଲୋକସଭାରୁ ନିଲମ୍ବିତ କରାଯାଇଛି। ସେ କେବଳ କହିଥିଲେ ଯେ ନୀରବ ମୋଦି। ନୀରବର ଅର୍ଥ ଚୁପ ବା ଶାନ୍ତ। ତେଣୁ ଏଥିରେ କିଛି ଅସୁବିଧା ନାହିଁ ବୋଲି ଖଡଗେ କହିଛନ୍ତି।ତେବେ ଖଡଗେ ରାଜ୍ୟସଭାରେ ଅଧୀରଙ୍କ କଥା ଉଠାଇଥିବାରୁ ଏହାକୁ ଶାସକ ଦଳର ସାଂସଦମାନେ ବିରୋଧ କରିଥିଲେ। କିନ୍ତୁ ଆଜି ମୌସୁମୀ ଅଧିବେଶନର ଶେଷ ଦିନ ହୋଇଥିବାରୁ ବିରୋଧୀ ଦଳର ନେତାଙ୍କୁ ସମସ୍ତେ ଶୁଣିବା ଦରକାର ବୋଲି ଅଧ୍ୟକ୍ଷ ଧନକର କହିଥିଲେ। ଏହାପରେ ଖଡଗେ ଅଧ୍ୟକ୍ଷ ଧନକରଙ୍କୁ ଗଣତନ୍ତ୍ରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। କହିଛନ୍ତି, ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୋଟିଏ ଛୋଟିଆ କାରଣ ପାଇଁ ନିଲମ୍ବିତ କରାଯାଇଛି। ଏହାର ବିଚାର ସ୍ୱାଧିକାର କମିଟି ପାଖକୁ ପଠାଇ ଦିଆଯାଇଛି। ଦେଶର ଉପ ରାଷ୍ଟ୍ରପତି ତଥା ଅଧ୍ୟକ୍ଷଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଆପଣ ଗଣତନ୍ତ୍ରର ସୁରକ୍ଷା କରନ୍ତୁ।ଅଧୀର ରଞ୍ଜନ ପବ୍ଲିକ ଆକାଉଣ୍ଟସ କମିଟି, ବିଜନେସ ପରାମର୍ଶଦାତା କମିଟି ସଦସ୍ୟ ଓ ସିବିସି ଚୟନ ପ୍ରକ୍ରିୟାରେ ସେ ରହିଛନ୍ତି। ଯଦି ସେ ନିଲମ୍ବିତ ହୋଇ ରୁହନ୍ତି, ତା’ହେଲେ ସେ ଏସବୁ ସଂସ୍ଥାରୁ ମଧ୍ୟ ବାଦ ପଡ଼ିବେ। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଖଡଗେ କହିଛନ୍ତି |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……