ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନ ଅଭିଯୋଗକୁ ପ୍ରସଙ୍ଗ କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟପାଳ ଭାବେ ଆନନ୍ଦ ବୋଷ କାର୍ଯ୍ୟ କରୁଥିବା ଯାଏ ସେ ରାଜଭବନ ଯିବେ ନାହିଁ। ଯଦି ରାଜ୍ୟପାଳ ବୋଷ ଚାହିଁବେ, ସେ ତାଙ୍କୁ ରାସ୍ତାରେ ଭେଟିବେ। କିନ୍ତୁ କେବେ ହେଲେ ରାଜଭବନ ଯିବେ ନାହିଁ। କାରଣ ଆନନ୍ଦ ବୋଷଙ୍କ ବୋଷଙ୍କ ପାଖରେ ବସିବା ମଧ୍ୟ ପାପ ବୋଲି ଦିଦି କହିଛନ୍ତି। ରାଜଭବନର ଜଣେ ଅସ୍ଥାୟୀ କର୍ମଚାରୀ ରାଜ୍ୟପାଳଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିବା ପରେ ଆସିଥିବା ସିସିଟିଭି ଫୁଟେଜ କଥା ମଧ୍ୟ ମମତା ଉଠାଇଛନ୍ତି। ରାଜ୍ୟପାଳ ଜାରି କରିଥିବା ସିସିଟିଭି ଫୁଟେଜ ଏଡିଟ କରାଯାଇଛି ଓ ସଂପୂର୍ଣ୍ଣ ଫୁଟେଜ ଓ ଏକାଧିକ ଭିଡିଓ ଥିବା ପେନ ଡ୍ରାଇଭ୍ସ ତାଙ୍କ ପାଖରେ ଅଛି ବୋଲି ମମତା କହିଛନ୍ତି। ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ରାଜ୍ୟପାଳ ବୋଷ ସିଧାସଳଖ ମମତାଙ୍କ ଲୋକପ୍ରିୟ ନାଁ ଦିଦିର ବ୍ୟବହାର କରି ତାଙ୍କୁ ସମାଲୋଚନା କରିଥିଲେ। ଦିଦିଗିରି ଏଠାରେ କାମ ଦେବ ନାହିଁ ବୋଲି ସେ କହିଥିଲେ। ଆଜି ମମତା ହୁଗଲୀ ଠାରେ ଆୟୋଜିତ ରାଲିରେ କହିଛନ୍ତି ଯେ “ସମ୍ମାନୀୟ ରାଜ୍ୟପାଳ ମହୋଦୟ, କ’ଣ ମୋର ଭୁଲ | ପୂରା ଘଟଣା କ’ଣ, ସେକଥା ମଧ୍ୟ ମୁଁ ଜାଣି ନାହିଁ। ସେ କହିଛନ୍ତି ଦିଦିଗିରି ଚାଲିବ ନାହିଁ। ମୁଁ ମଧ୍ୟ ଏହାକୁ ମାନୁଛି। ଦାଦାଗିରି ଓ ଦିଦିଗିରି ଚଳିବ ନାହିଁ। କିନ୍ତୁ ରାଜ୍ୟପାଳ ମହୋଦୟ ଆପଣ ପ୍ରଥମେ ପଦ ଛାଡ଼ନ୍ତୁ। ମହିଳାଙ୍କୁ ନିର୍ଯାତନା ଦେବାକୁ ଆପଣ କିଏ? ମୁଁ ଶୁଣିବାକୁ ପାଇଛି ଯେ ସେ ଗତକାଲି ପ୍ରେସକୁ ଡାକିଥିଲେ। ସେଠାରେ କିଛି ଏଡିଟେଡ ଭିଡିଓ ପ୍ରଦର୍ଶିତ କରାଯାଇଛି। କ’ଣ ସେ ପୂରା ଘଟଣାର ଭିଡିଓ ଦେଖାଇଛନ୍ତି? ମୋ ପାଖରେ ଗୋଟିଏ କପି ରହିଛି। ମୁଁ ଜଣେ ସାମ୍ବାଦିକଙ୍କ ଠାରୁ ଏହା ପାଇଛି। ଏଡିଟେଡ କପି ମଧ୍ୟ ମୋ ପାଖରେ ଅଛି। ପୂରା ଘଟଣା ଏଯାଏ ସାମ୍ନାକୁ ଆସିନି। ମୁଁ ଆଉ ଗୋଟିଏ ଭିଡିଓ ପାଇଛି। ଗୋଟିଏ ପେନ ଡ୍ରାଇଭ ରହିଛି। ଅଧିକ ଘଟଣା ଓ ଘଟଣା ପରେ କେବଳ ଘଟଣା ସାମ୍ନାକୁ ଆସୁଛି।” ହାତ ଯୋଡ଼ି ମମତା ଆହୁରି କହିଛନ୍ତି, “ଯଦି ସେ ମୋତେ ରାଜ ଭବନ ଡାକିବେ, ତା’ହେଲେ ବି ମୁଁ ଯିବି ନାହିଁ। ଯଦି ସେ ରାସ୍ତାରେ ମୋତେ ଭେଟିବାକୁ ଚାହିଁବେ, ତା’ହେଲେ ମୁଁ ତାଙ୍କୁ ସେଠାରେ ଦେଖା କରିବି। କିନ୍ତୁ ଏସବୁ ଘଟଣା ଶୁଣିବା ପରେ ତାଙ୍କ ପାଖରେ ବସିବା ମଧ୍ୟ ପାପ।”






More Stories
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..