ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ପରେ ତୃତୀୟଥର ପାଇଁ ଟିଏମସି ର ସୁପ୍ରିମୋ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ କୋଭିଡ ସ୍ଥିତିର ମୁକାବିଲା ତାଙ୍କର ପ୍ରଥମ ଉଦ୍ଦେଶ୍ୟ ବୋଲି କହିଥିଲେ ମମତା | ଶପଥ ନେବାପରେ ପୁରା ଆକ୍ସନ ମୋଡ଼ରେ ଦିଦି | କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟରେ କରୋନା କଟକଣା ଜାରି କରିବା ସହିତ ଡିଜିପି ଏବଂ ଏଡିଜିଙ୍କୁ ବଦଳି କରିଛନ୍ତି | ରାଜ୍ୟର ସମସ୍ତ ସ୍ପା, ପାର୍ଲର, ସପିଂ ମଲ୍ ଆଦି ବନ୍ଦ ରହିବ। ଏହା ସହ ସମସ୍ତ ପ୍ରକାର ସାର୍ବଜନୀକ କାର୍ଯ୍ୟକ୍ରମ ପରବର୍ତ୍ତୀ ନିର୍ଦେଶ ଯାଏ ହୋଇପାରିବ ନାହିଁ। ପୋଲିସର ଅନୁମତି ମିଳିଲେ ବିବାହ କାର୍ଯ୍ୟକ୍ରମ ହୋଇପାରିବ ଏବଂ ଏଥିରେ କେବଳ ୪୦ ଲୋକ ସାମିଲ ହୋଇପାରିବେ। ବଜାର ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଦୋକାନ ସକାଳ ୭-୧୦ ଏବଂ ସନ୍ଧ୍ୟା ୫-୭ ଖୋଲିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲୋକାଲ୍ ଟ୍ରେନ୍ ସେବା ବନ୍ଦ ରହିଛି। ଏହା ସହ ମେଟ୍ରୋ ଏବଂ ବସ୍ ଅଧା କ୍ଷମତାରେ ଯାତାୟତ କରିବ । ମେ ୭ ମଧ୍ୟରାତ୍ରୀରୁ କୌଣସି ଯାତ୍ରୀଙ୍କୁ ଏୟାରପୋର୍ଟରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ବିନା ରାଜ୍ୟରେ ଏଣ୍ଟ୍ରି ମିଳିବ ନାହିଁ। ଏହି ଟେଷ୍ଟ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କରୋନା ରୋଗୀଙ୍କ ପାଇଁ ସିଟ୍ ବଢ଼ାଇ ୩୦ ହଜାର କରିଦିଆଯାଇଛି। ରାଜ୍ୟରେ ଭ୍ୟାକସିନ୍ର ଦ୍ବିତୀୟ ଡୋଜ୍କୁ ପ୍ରାଥମିକତା ଦିଆଯାଉଛି। ଆମ ଭାଗ ଅକ୍ସିଜେନ୍ ଅନ୍ୟମାନେ ନେଇଯାଉଛନ୍ତି, ଆମେ ଇଣ୍ଡଷ୍ଟ୍ରିଆଲ୍ ଅକ୍ସିଜେନ୍ ବ୍ୟବହାର କରୁଛି ବୋଲି ମମତା କହିଛନ୍ତି। ଏହା ସହ କରୋନା ଟେଷ୍ଟ ଅବଧି କମ୍ କରିବାକୁ ବିକଳ୍ପ ଯୋଜନା କରାଯିବ। ୪ ଘଣ୍ଟାରେ ରିପୋର୍ଟ ମିଳିବା ଭଳି ବ୍ୟବସ୍ଥା କରାଯିବ। ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । କାରଣ ସେମାନେ ଲୋକଙ୍କ ଗହଣରେ ଅଧିକ ରହୁଛନ୍ତି ବୋଲି ମମତା କହିଛନ୍ତି | ପଶ୍ଚିମବଙ୍ଗ ରାଜ୍ୟରେ ଘଟୁଥିବା ହିଂସା ରୋକିବା ପାଇଁ ସେ ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଡିଜିପି ନୀରଜ ଜୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି। ସେହିପରି ଏଡିଜି ଜଗମୋହନଙ୍କୁ ସିଭିଲ୍ ଡିଫେନ୍ସକୁ ପଠାଇ ଦିଆଯାଇଛି। ବିରେନ୍ଦ୍ରଙ୍କୁ ନୂଆ ଡିଜିପି ଏବଂ ଜାଭେଦ୍ ଶମିମ୍ଙ୍କୁ ଏଡିଜି ନିଯୁକ୍ତ କରାଯାଇଛି।
More Stories
ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ…..
ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ, ଟ୍ରାକ୍ରୁ ଖସିଲା୨୫ ବଗି….
ଏକ ରାଷ୍ଟ୍ର,ଏକ ନିର୍ବାଚନ ପ୍ରସଙ୍ଗ: କ’ଣ କହୁଛନ୍ତି ସମର୍ଥକ ଓ ବିରୋଧୀ…..