ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ହେବ | ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ବାତାବରଣ ସେତିକି ସରଗରମ ହେଉଛି। ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଅନ୍ୟ ରାଜନୀତିକ ଦଳଗୁଡ଼ିକ ଚେଷ୍ଟା କରୁଛନ୍ତି। ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଅଖିଲେଶଙ୍କ ସହ ହାତ ମିଳାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମମତାଙ୍କ ଟିଏମସି ପ୍ରାର୍ଥୀ ଦେବନାହିଁ। କିନ୍ତୁ ମମତା ନିର୍ବାଚନ ବେଳେ ଅଖିଲେଶଙ୍କ ପାଇଁ ପ୍ରଚାର କରିବେ। ମଙ୍ଗଳବାର ସମାଜବାଦୀ ପାର୍ଟିର ଉପାଧ୍ୟକ୍ଷ କିରଣମୟ ଦତ୍ତ କୋଲକାତାରେ ମମତାଙ୍କୁ ଭେଟିଛନ୍ତି। ଏହାପରେ ସେ କହିଛନ୍ତି ଯେ ଫେବୃଆରୀ ୮ରେ ମମତା ବାନାର୍ଜୀ ଓ ଅଖିଲେଶ ଯାଦବ ମିଳିତ ଭାବେ ଲକ୍ଷ୍ନୌରେ ଆୟୋଜିତ ଭର୍ଚ୍ୟୁଆଲ ରାଲିକୁ ସମ୍ବୋଧନ କରିବେ। ଏହାପୂର୍ବରୁ ଉଭୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ। ଉଭୟ ନେତା ବାରାଣସୀରେ ମଧ୍ୟ ଭର୍ଚ୍ୟୁଆଲ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ଟିଏମସି ଉତ୍ତର ପ୍ରଦେଶରେ କୌଣସି ପ୍ରାର୍ଥୀ ଦେବନାହିଁ। ଦଳ ସମାଜବାଦୀ ପାର୍ଟିକୁ ବାହାରୁ ସବୁ ପ୍ରକାରର ସମର୍ଥନ କରିବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି। ଏହାପୂର୍ବରୁ ମିର୍ଜାପୁର ଆସନକୁ ସମାଜବାଦୀ ପାର୍ଟି ଟିଏମସି ପାଇଁ ଛାଡ଼ିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଦତ୍ତଙ୍କ ଏପରି ସୂଚନା ନୂଆ ଟ୍ୱିଷ୍ଟ ଆଣିଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମମତା ବାନାର୍ଜୀ ବିଜେପିର କଡ଼ା ଟକ୍କର ସତ୍ତ୍ୱେ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଜାତୀୟ ରାଜନୀତିରେ ମମତାଙ୍କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ଭାବେ କିଛି ଲୋକ ମମତାଙ୍କୁ ମଧ୍ୟ ଦେଖୁଛନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..