ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଁ ତାଜମହଲ ଧ୍ବଂସ କରିପକାଇବି ନାହିଁ ବୋଲି ଇତିହାସ ପାଠ୍ୟ ପୁସ୍ତକ ସଂଶୋଧନ ପ୍ରସଙ୍ଗରେ ‘ବିଜେପି’କୁ ସମାଲୋଚନା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଗତକାଲି କୋଲ୍କାତାର ଅଲିପୁରଠାରେ ଅତ୍ୟାଧୁନିକ ‘ଧନଧାନ୍ୟ ଅଡିଟରିୟମ୍’ ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଲେ, ଆପଣମାନେ ଯଦି ମତେ ସମର୍ଥନ ଦେବେ ଆହୁରି ଅନେକ କିଛି ହେବ। ମୁଁ କିଛି ଜିନିଷ ଭାଙ୍ଗିବି ନାହିଁ। କାହାକୁ ଚାକିରିରୁ ଛଟେଇ କରିବି ନାହିଁ। ଆମେ ହଠାତ୍ ତାଜମହଲ ଭାଙ୍ଗି ପକାଇବୁ ନାହିଁ। ହଠାତ୍ ଭିକ୍ଟୋରିଆ ମେମୋରିଆଲ୍ ଭାଙ୍ଗି ଦେବୁ ନାହିଁ। ଇତିହାସ ବଦଳାଇ ଦେବାକୁ ଆମ୍ଭମାନଙ୍କ ମଧ୍ୟରୁ କାହାରି ସାଧ୍ୟ ନାହିଁ। ସେହି କାରଣରୁ ଭାରତର ଇତିହାସ ହିଁ ଭାରତର ସମ୍ପଦ। ଭାରତର ଧର୍ମନିରପେକ୍ଷତା ହେଉଛି ବଙ୍ଗର ସମ୍ପଦ। ଯଦି ରାମକୃଷ୍ଣ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ଯଦି ସ୍ବାମୀ ବିବେକାନନ୍ଦ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ଯଦି ରବୀନ୍ଦ୍ରନାଥ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ଯଦି ନଜ୍ରୁଲ୍ ନ ଥା’ନ୍ତେ ଏହା ସମ୍ଭବ ହୋଇ ନ ଥାନ୍ତା। ବିଦ୍ୟାସାଗରଙ୍କଠାରୁ ରାଜା ରାମମୋହନ ରାୟଙ୍କ ପର୍ଯ୍ୟନ୍ତ ଆହୁରି ଅନେକ ଅଛନ୍ତି। ଆମେ ଆଜି ଏହି ସବୁ ବ୍ୟକ୍ତିତ୍ବଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛୁ ବୋଲି ମମତା ବାନାର୍ଜୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋର ସବୁ ପ୍ରକାର ଚିନ୍ତାଧାରା ଆପଣମାନଙ୍କଠାରୁ ପାଇଛି। ମୋର ନିଜସ୍ବ କିଛି ନାହିଁ। ମାତ୍ର ଗୋଟିଏ ଜିନିଷ ପାଇବାକୁ ଚାହେଁ। ତାହା ହେଲା ଲୋକେ ମୋତେ ଭୁଲ୍ ନ ବୁଝନ୍ତୁ। କେବେ ଅର୍ଥ ମିଳୁଛି ତ କେବେ ମିଳୁନାହିଁ। ଆମର ପ୍ରାପ୍ୟ ଅନେକ ଅର୍ଥ ଅଟକାଇ ରଖାଯାଇଛି। ୨୦୨୪ ପର୍ଯ୍ୟନ୍ତ ସେମାନେ ଉକ୍ତ ଅର୍ଥ ଆମକୁ ଦେବେ ନାହିଁ ବୋଲି ଶୁଣିଛି। ସେମାନେ ନ ଦିଅନ୍ତୁ। ପ୍ରୟୋଜନ ହେଲେ, ମାଆମାନଙ୍କୁ ମାଗିବି ପଛେ, ମାଗିବାକୁ ଦିଲ୍ଲୀ ଯିବି ନାହିଁ। ଆପଣମାନଙ୍କ ଆଶୀର୍ବାଦ, ଶୁଭେଚ୍ଛା ଏବଂ ସହଯୋଗ ବଳରେ ଆମେ କୌଣସି ମତେ ଚଳିଯିବା।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..