Report Card Odisha

| Daily Odia News

ମାଣିଆବନ୍ଧ କୁ ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଚଳିତ ବର୍ଷର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ବିଭାଗ ଦ୍ବାରା ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ଉତ୍ସବରେ ହସ୍ତକଳା କ୍ଷେତ୍ରରେ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ କଟକ ଜିଲ୍ଲା ଅନ୍ତର୍ଗତ ହସ୍ତତନ୍ତ ତଥା ବୟନ କଳା ଓ ଏହାର କୁଶଳୀ କାରିଗରଙ୍କ ଗ୍ରାମ ମାଣିଆବନ୍ଧ ପୁରସ୍କୃତ ହୋଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ୍ ରାଉତରାୟ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ଅଞ୍ଜନ ବାରିକ ଏବଂ ମାଣିଆବନ୍ଧ ଗ୍ରାମରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲୁ ପ୍ରଧାନ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଗ୍ରାମକୁ ଭାରତର ଆତ୍ମା ଭାବେ ଗ୍ରହଣ କରାଯାଇ ୨୦୨୩ ମସିହାରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ସମ୍ମାନ ପ୍ରତିଯୋଗିତା ପ୍ରଚଳନ କରାଯାଇଛି। ପ୍ରଥମ ବର୍ଷରେ ସମଗ୍ର ଭାରତରୁ ୭୯୫ଟି ଗ୍ରାମରୁ ଆବେଦନ ଆସିଥିବାବେଳେ ଚଳିତ ବର୍ଷ ତଥା ଦ୍ବିତୀୟ ବର୍ଷ ୨୦୨୪ ପାଇଁ ୩୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ସମୁଦାୟ ୯୯୧ ଟି ଆବେଦନ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରେ ୩୬ ଗୋଟି ଗ୍ରାମ ପର୍ଯ୍ୟଟନର ୮ଟି ବର୍ଗରେ ବିଜେତା ଭାବେ ମାନ୍ୟତା ପାଇବା ସହ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ Xରେ ମାଣିଆବନ୍ଧ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ହସ୍ତଶିଳ୍ପ ମଧ୍ୟରେ ବୟନଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। କଟକ ଜିଲ୍ଲାର ମାଣିଆବନ୍ଧ ଶାଢ଼ି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ହସ୍ତଶିଳ୍ପ ବର୍ଗରେ ମାଣିଆବନ୍ଧ ଗ୍ରାମ ‘ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ’ର ମାନ୍ୟତା ପାଇଥିବାରୁ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଜଣାଉଛିI

Breaking News