ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ପୁଣି ଉତ୍ତେଜନା ଓ ହିଂସାକାଣ୍ଡ ଆରମ୍ଭ ହେବାରୁ ବରିଷ୍ଠ ‘ଆଇପିଏସ୍’ ଅଧିକାରୀ ରାକେଶ ବଲୱାଲ୍ଙ୍କୁ ମଣିପୁର ପଠାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦୁଇଜଣ ଛାତ୍ରଙ୍କୁ ଅପହରଣ କରି ନେଇ ହତ୍ୟା କରାଯାଇଥିବା ଘଟଣା ଜଣାପଡ଼ିବା ପରେ ହିଂସାକାଣ୍ଡ ଦେଖା ଦେଇଛି | ସମ୍ପ୍ରତି ଶ୍ରୀନଗରରେ ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଭାବେ ଅବସ୍ଥାପିତ ରାକେଶ ବଲ୍ୱାଲ୍ଙ୍କୁ ଅସମୟରେ କେନ୍ଦ୍ର ସରକାର ତାଙ୍କ ନିଜ ରାଜ୍ୟ ମଣିପୁରେ ପୁନଃଅବସ୍ଥାପିତ କରାଇଛନ୍ତି। ହିଂସା ପ୍ରପୀଡ଼ିତ ରାଜ୍ୟ ମଣିପୁରରେ ସହାୟତା କରିବା ପାଇଁ ବଲ୍ୱାଲ୍ କାର୍ଯ୍ୟ କରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ‘ଏଜିଏମ୍ୟୁଟି’ କ୍ୟାଡର୍ରୁ ମଣିପୁର କ୍ୟାଡର୍କୁ ‘ଆଇପିଏସ୍’ ରାକେଶ ବଲ୍ୱାଲ୍ଙ୍କୁ ଅସମୟରେ ଫେରାଇ ଦେବା ଲାଗି ଗୃହ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ପ୍ରସ୍ତାବକୁ ‘କ୍ୟାବିନେଟ୍’ର ‘ଆପଏଣ୍ଟମେଣ୍ଟ୍ କମିଟି’ ଅନୁମୋଦନ କରିଛି। ସୂଚନାଯୋଗ୍ୟ, ମଣିପୁର କ୍ୟାଡର୍ର ‘ଆଇପିଏସ୍’ ଅଧିକାରୀ ବଲୱାଲ୍ଙ୍କୁ ଜମ୍ମୁ ଓ କଶ୍ମୀରରେ ନିଯୁକ୍ତି ମିଳିଥିଲା। ୨୦୨୧ରେ ସେ ଶ୍ରୀନଗରରେ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଭାବେ ନିଯୁକ୍ତି ପାଇଥିଲେ। ସେପଟେ, ମଣିପୁରରେ ନିରାପତ୍ତା ବଳଙ୍କୁ ଆବାସିକ ଅଞ୍ଚଳ ମଧ୍ୟକୁ ପ୍ରବେଶ କରାଇ ନ ଦେବା ଲାଗି ବୁଧବାର ରାତିରେ ପ୍ରତିବାଦକାରୀମାନେ ରାସ୍ତାରେ ଟାୟାର୍ ପୋଡ଼ି, ବଡ଼ ପଥରଖଣ୍ଡ ଓ ଲୁହା ପାଇପ୍ ରଖିଛନ୍ତି। ଦଳେ ଉତ୍ତ୍ୟକ୍ତ ଜନତା ‘ଡିସି’ଙ୍କ ଅଫିସ୍ରେ ଭଙ୍ଗାରୁଜା କରି ଦୁଇଟି ୪ଚକିଆ ଯାନ ପୋଡ଼ି ପକାଇଛନ୍ତି। କିନ୍ତୁ, ‘ସିଆର୍ପିଏଫ୍’ ଯବାନମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..