Report Card Odisha

| Daily Odia News

ସ୍ୱାଧୀନ ସକାଳର ପ୍ରଥମ ଚା’,….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୧୭ ମାସ ପରେ ଜେଲ୍‌ରୁ ବାହାରିଛନ୍ତି ଆମ୍‌ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଜେଲ୍‌ରୁ ବାହାରିବା ପରେ ସେ ଭାବୁକ ହୋଇପଡିଛନ୍ତି। ଆଜି ସକାଳୁ ନିଜ ପତ୍ନୀଙ୍କ ସହ ବସି ଚା’ ପିଇଛନ୍ତି। ଏହି ସମୟର ଏକ ଫଟୋକୁ ସେ ନିଜ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଏଥିସହ ଏକ ପୋଷ୍ଟ ମଧ୍ୟ ଲେଖିଛନ୍ତି। ମନୀଷ ସିସୋଦିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ସ୍ୱାଧୀନ ସକାଳର ପ୍ରଥମ ଚା’…୧୭ ମାସ ପରେ! ସେହି ସ୍ୱାଧୀନତା ଯାହା ସମ୍ବିଧାନ ଆମ ସମସ୍ତ ଭାରତୀୟଙ୍କୁ ବଞ୍ଜିବାର ଅଧିକାରକୁ ଗ୍ୟାରେଣ୍ଟି ରୂପେ ଦେଇଛି। ସେହି ସ୍ୱାଧୀନତା ଯାହା ଖୋଲା ଆକାଶ ତଳେ ନିଶ୍ୱାସ ନେବାକୁ ଆମକୁ ଈଶ୍ୱର ଦେଇଛନ୍ତି।’ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନୀଷ ସିସୋଦିଆ ଦେଢ଼ ବର୍ଷ ହେବ ଜେଲରେ ଥିଲେ। ଗତକାଲି ସେ ୧୭ ମାସ ପରେ ତିହାର ଜେଲରୁ ବାହାରିଥିଲେ। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ଓ ତାଙ୍କ ବାପା-ମା’ଙ୍କୁ ଭେଟିଥିଲେ। ଏହି ସମୟରେ ସୁନୀତା କେଜ୍ରିୱାଲ ମନୀଷ ସିସୋଦିଆଙ୍କୁ ଭେଟିବା ପରେ ଭାବୁକ ହୋଇପଡିଥିଲେ। ମନୀଷ ସିସୋଦଆ କେଜ୍ରିୱାଲଙ୍କ ବାପା-ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଦିଲ୍ଲୀ ସରକାରର ମନ୍ତ୍ରୀ ଏବଂ ବିଧାୟକଙ୍କୁ ମଧ୍ୟ ଭେଟିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କ ବାରମ୍ବାର ଜାମିନ ଆବେଦନ ଖାରଜ ହେବା ପରେ ଗତକାଲି ତାଙ୍କୁ ଜାମିନ ମିଳିଥିଲା। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ମନୀଷଙ୍କୁ ଜାମିନ ଦେବା ବେଳେ କୋର୍ଟ କହିଥିଲେ ଯେ ତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଅଧିକାରରୁ ବଞ୍ଚିତ କରାଯାଇଛି। କାରଣ ତାଙ୍କୁ ବର୍ଷେରୁ ଅଧିକ ଦିନ ହେଲାଣି ଜେଲ୍‌ରେ ରଖାଯାଇଛି ଓ ଏହି ମାମଲାର ଶୁଣାଣି ମଧ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଉନାହିଁ।

Breaking News