Report Card Odisha

| Daily Odia News

ନିଗମବୋଧ ଘାଟରେ ହେବ ମନମୋହଙ୍କ ଶେଷକୃତ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ଆର୍ଥିକ ସଂସ୍କାରର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ ଆଜି ଅନୁଷ୍ଠିତ ହେବ। ଦିଲ୍ଲୀର ନିଗମବୋଧ ଘାଟ ନିକଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତଦେହ କଂଗ୍ରେସ ମୁଖ୍ୟାଳୟକୁ ଅଣାଯାଇଥିଲା। ସାଧାରଣ ଜନତା ତଥା କଂଗ୍ରେସ ଦଳର କର୍ମୀମାନେ ସେମାନଙ୍କ ପ୍ରିୟ ନେତାଙ୍କୁ ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ଅନ୍ତିମ ଯାତ୍ରା ସକାଳ ସାଢ଼େ ୯ଟାରୁ କଂଗ୍ରେସ ମୁଖ୍ୟାଳୟରୁ ବାହାରିଛି | ଭାରତର ପ୍ରଧାନମନ୍ତ୍ରୀ ଥିବା ଡକ୍ଟର ମନମୋହନ ସିଂହଙ୍କର ଦିଲ୍ଲୀସ୍ଥିତ ଏମ୍ସରେ ଗୁରୁବାର ରାତିରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ତାଙ୍କର ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏହି ଶୋକ କାଳରେ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ବିଦେଶରେ ଥିବା ସମସ୍ତ ଭାରତୀୟ ଦୂତାବାସ ଓ ହାଇକମିସନରେ ମଧ୍ୟ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆସନ୍ତାକାଲି ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଅଧିକୃତ କମ୍ପାନୀ କାର୍ଯ୍ୟାଳୟ ଅଧାଦିନ ଛୁଟି ରହିବ। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟ୍ ଶୋକ ପ୍ରକାଶ କରି କହିଛି ଯେ ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ରାଜନେତା, ପ୍ରଖ୍ୟାତ ଅର୍ଥନୀତିଜ୍ଞ ଏବଂ ଜଣେ ବିଶିଷ୍ଟ ନେତାଙ୍କୁ ହରାଇଛି। ଏଥିରେ ଡ. ମନମୋହନ ସିଂହଙ୍କ ସ୍ମୃତିରେ ଏକ ଶୋକ ସଂକଳ୍ପ ପାରିତ ହେବା ସହ ଦୁଇ ମିନିଟ୍ ନୀରବତା ଅବଲମ୍ବନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଂକଳ୍ପରେ କୁହାଯାଇଛି ଯେ ଡକ୍ଟର ମନମୋହନ ସିଂହ ଜାତୀୟ ଜୀବନରେ ନିଜର ଛାପ ଛାଡିଛନ୍ତି । ମନମୋହନ ସିଂହ ୧୯୯୧ରୁ ୧୯୯୬ ମଧ୍ୟରେ ଭାରତର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅର୍ଥନୈତିକ ସଂସ୍କାରର ଏକ ବ୍ୟାପକ ନୀତି ପ୍ରଣୟନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

Breaking News